ଭାରତରୁ ୨୦୦ କୋଟି ସହାୟତା ପାଇ ତାଲିବାନ ଗଦଗଦ: ଭାରତ-ଆଫ୍‌ଗାନିସ୍ତାନ ମଧ୍ୟରେ ବିଶ୍ବାସ ବଢ଼ିବ

କାଶ୍ମୀର ପ୍ରସଙ୍ଗ ଭାରତ-ପାକ୍‌ ମଧ୍ୟରେ ସୀମିତ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୩-୨୪ରେ ଭାରତ ସରକାର ଆଫଗାନିସ୍ତାନ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ୨୦୨୧ ଅଗଷ୍ଟରେ ତାଲିବାନମାନେ କାବୁଲ ଅଧିକାର କରିବା ପରେ ତାଲିବାନ ସରକାରକୁ ଭାରତ ସ୍ବୀକୃତି ଦେଇ ନ ଥିଲେ ମଧ୍ୟ ଆର୍ଥିକ ସାହାଯ୍ୟ ଅବ୍ୟାହତ ରଖିଛି। ଏହି ଅବସରରେ ତାଲିବାନ ନେତା ସୁହେଲ ସାହିନ କହିଛନ୍ତି, ‘ଆଫଗାନିସ୍ତାନ ଲାଗି ଭାରତର ଉନ୍ନୟନ ସହାୟତାକୁ ଆମେ ପ୍ରଶଂସା କରୁଛୁ। ଏହା ଦୁଇ ଦେଶ ଭିତରେ ସମ୍ପର୍କ ଓ ବିଶ୍ବାସ ବୃଦ୍ଧି କରିବାରେ ସାହାଯ୍ୟ କରିବ।’ ଦୋହାସ୍ଥିତ ତାଲିବାନଙ୍କ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ସାହିନଙ୍କୁ ପଚରାଯାଇଥିଲା- ଆଫଗାନିସ୍ତାନର ଉନ୍ନୟନ କାର୍ଯ୍ୟ ପାଇଁ ବଜେଟରେ ଭାରତ ୨୦୦ କୋଟି ଟଙ୍କା ମଞ୍ଜୁର କରିଛି, ଏହାକୁ ଆପଣ କେମିତି ଦେଖୁଛନ୍ତି? ଉତ୍ତରରେ ସାହିନ କହିଥିଲେ- ଆମେ ଏହାକୁ ପ୍ରଶଂସା କରୁଛୁ। ଏହି ଟଙ୍କା ଆମ ଦେଶର ବିକାଶରେ, ଅଧୁରା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବାରେ ଏବଂ ଦାରିଦ୍ର୍ୟ ନିରସନରେ ସାହାଯ୍ୟ କରିବ। ତାଲିବାନ ଅଧିକାର କରିବା ପୂର୍ବରୁ ଭାରତ ଦ୍ବାରା କେତେକ ଉନ୍ନୟନ କାର୍ଯ୍ୟ ଆମ ଦେଶରେ ଚାଲିଥିଲା। ସେ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ରହିଯାଇଛି। ବର୍ତ୍ତମାନ ସେଗୁଡ଼ିକ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଦେଖାଦେଇଛି। ଯଦି ସେ ଟଙ୍କା ଏହି କାର୍ଯ୍ୟରେ ଲାଗେ ତେବେ ତାହା ଉଚିତ ଦିଗରେ ଉଚିତ ପଦକ୍ଷେପ ହେବ। ଭାରତର ସହାୟତା ଆମ ପାଇଁ ବହୁତ ବଡ଼ ପ୍ରେରଣା ବୋଲି ସାହିନ କହିଛନ୍ତି।

ଭାରତକୁ ଆଫଗାନିସ୍ତାନ କେତେ ବିଶ୍ବାସ କରୁଛି ଓ କାହିଁକି ବୋଲି ପଚାରିବାକୁ ସାହିନ କହିଲେ ଯେ ଦୁଇ ଦେଶ ଭିତରେ ଐତିହାସିକ ସମ୍ପର୍କ ଅଛି। ଆଫଗାନିସ୍ତାନରେ ଭାରତୀୟ ପୁଞ୍ଜିନିବେଶ ଓ ସହାୟତାକୁ ଆମେ ସ୍ବାଗତ କରୁଛୁ। କାଶ୍ମୀର ଓ ପେଶାୱାର ମସଜିଦରେ ଆକ୍ରମଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ପ୍ରଶ୍ନ କରାଯିବାରୁ ସାହିନ କହିଲେ ଯେ କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନ ଭିତରେ ସୀମିତ। ଆମେ ଦୁଇ ଦେଶ ଭିତରେ ଏ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁ। ପେଶାୱାର ବିସ୍ଫୋରଣକୁ ଆମେ ନିନ୍ଦା କରିଛୁ କାରଣ କୌଣସି ମସଜିଦ ଉପରେ ଆକ୍ରମଣ କରିବା ଇସଲାମିକ୍ ରୁଲ୍‌ର ବିରୋଧୀ। ଏହା ଉପରେ ସର୍ବପକ୍ଷୀୟ ତଦନ୍ତ କରାଗଲେ ଏହା ପଛରେ ଥିବା ଅପରାଧୀମାନେ ଧରାପଡ଼ିବେ ବୋଲି ସାହିନ କହିଥିଲେ।

ସମ୍ବନ୍ଧିତ ଖବର