ୟୁକ୍ରେନ ଯୁଦ୍ଧ : ଏପର୍ଯ୍ୟନ୍ତ ୨୯୪୫୦ ରୁଷ ସୈନ୍ୟ ମଲେଣି

କିବ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଇତି ମଧ୍ୟରେ ୪ ମାସ ପୂରଣ ହୋଇଥିବାବେଳେ ୟୁକ୍ରେନର ଏକ ବଡ଼ ଭାଗ ଧ୍ବଂସସ୍ତୁପରେ ପରିଣତ ହୋଇଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବନ୍ଦର ନଗରୀ ମାରିୟୁପୋଲ୍ । ଏହି ନଗରୀ ଉପରେ ରୁଷ ସୈନ୍ୟମାନେ କେତେ ଅତ୍ୟାଚାର କରିଛନ୍ତି ତାହାର ଭୟଙ୍କର ଚିତ୍ର ଧୀରେ ଧୀରେ ବାହାରକୁ ଆସିବାରେ ଲାଗିଛି । କିନ୍ତୁ ୟୁକ୍ରେନ ବି ରୁଷକୁ କଡ଼ା ଜବାବ ଦେଉଛି । ଏପର୍ଯ୍ୟନ୍ତ ୟୁକ୍ରେନ ସୈନ୍ୟଙ୍କ ହାତରେ ପ୍ରାୟ ୨୯ ହଜାର ୪୫୦ ରୁଷ ସୈନ୍ୟ ନିହତ ହୋଇସାରିଲେଣି ବୋଲି ୟୁକ୍ରେନର ଗଣମାଧ୍ୟମ ପ୍ରକାଶ କରିଛି ।

ଅନ୍ୟପକ୍ଷରେ ମାରିୟୁପୋଲର ଏକ ଆପାର୍ଟମେଣ୍ଟର ଧ୍ବଂସସ୍ତୁପ ତଳୁ ପ୍ରାୟ ୨୦୦ଟି ମୃତଦେହ ଚିହ୍ନଟ ହୋଇଥିବା ୟୁକ୍ରେନର ଜଣେ ଅଧିକାରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଏହି ମୃତଦେହଗୁଡ଼ିକ ପଚିଯାଇ ଆଖପାଖରେ ପ୍ରବଳ ଦୁର୍ଗନ୍ଧ ବ୍ୟାପିବାରେ ଲାଗିଛି । ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ରୁଷର ଆକ୍ରମଣ ଯୋଗୁଁ କେବଳ ମାରିୟୁପୋଲ ନଗରୀରେ ପ୍ରାୟ ୨୨ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ମାରିୟୁପୋଲ ମେୟରଙ୍କ ପରାମର୍ଶଦାତା ପେଟ୍ରୋ ଆଡ୍ରିୁୟୁପେସକୋଙ୍କ ସୂଚନା ଅନୁସାରେ  ଏହି ନଗରୀ ଏବେ ଏକ ଭୁତ ସହରରେ ପରିଣତ ହୋଇଛି ।

ଗତ ଶନିବାରଦିନ ରୁଷ ସେନା ମାରିୟୁପୋଲ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଥିଲା । ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଥିଲା । ମାରିୟୁପୋଲର ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା ପ୍ରାୟ ୨୪୩୯ ଜଣ ୟୁକ୍ରେନୀୟ ସୈନ୍ୟ ଆତ୍ମସମର୍ପଣ କରିଥିଲେ ।

 

 

ସମ୍ବନ୍ଧିତ ଖବର