ଦିଲ୍ଲୀ ହିଂସା: ୨୦୦ ବିକ୍ଷୋଭକାରୀ ଅଟକ, ୩୦୦ ପୁଲିସ ଆହତ

ନୂଆଦିଲ୍ଲୀ: ଜାନୁୟାରୀ ୨୬ରେ ଦିଲ୍ଲୀ ରାଜରାସ୍ତାରେ ହିଂସାକାଣ୍ଡ ଘଟଣାରେ ୨୦୦ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ | ଏହି ଘଟଣାରେ ୩୦୦ ଜଣ ପୁଲିସ ଆହତ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ମାମଲା ରୁଜୁ କରାଯାଇଛି | ଲାଲକିଲ୍ଲା, ନାଗଲୋଈ, ମୁକାରବା ଛକ ଓ ସେଣ୍ଟ୍ରାଲ ଦିଲ୍ଲୀରେ ଲାଗିଥିବା ସିସିଟିଭି ଫୁଟେଜକୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଓ କ୍ରାଇମବ୍ରାଞ୍ଚ ଅନୁଧ୍ୟାନ କରୁଛନ୍ତି | ଯେଉଁମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ ଓ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ ସେମାନଙ୍କୁ ବର୍ତ୍ତମାନ ପୁଲିସ ଖୋଜୁଥିବାବେଳେ ସେହି ସବୁ କୃଷକ ନେତାମାନଙ୍କୁ ଖୋଜାଯାଉଛି ଯେଉଁମାନେ ହିଂସାକାଣ୍ଡ ପାଇଁ ଉସୁକାଇଥିଲେ |

ନିର୍ଦ୍ଧାରିତ ରୁଟ ଛାଡି ଅନ୍ୟ ରୁଟରେ ଯିବାକୁ ପ୍ରବର୍ତ୍ତାଇଥିବା କୃଷକ ନେତାଙ୍କୁ ଏବେ ଦିଲ୍ଲୀ ପୁଲିସ ଖୋଜୁଛି | ଆଉ ସିସିଟିଭି ଯାଞ୍ଚ ପରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ଆଜି ଅପରାହ୍ନରେ ଦିଲ୍ଲୀ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିସ୍ତୃତ ତଥ୍ୟ ଦିଆଯିବ |

ଅନ୍ୟପଟେ ଲାଲକିଲ୍ଲାରେ ପତାକା ଉଡାଇବା ସହ ସେଠାରେ ଭଙ୍ଗାରୁଜା ଘଟଣାକୁ ନେଇ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ | ସେହିପରି ସିଆରପିଏଫ ଡିଜି ଆଜି ଗୃହ ମନ୍ତ୍ରାଳୟରେ ପହଂଚି ଗୃହ ସଚିବଙ୍କୁ ଲାଲକିଲ୍ଲାରେ ହୋଇଥିବା ସ୍ଥିତି ବାବଦରେ ବିସ୍ତୃତ ତଥ୍ୟ ଦେଇଛନ୍ତି |

ସମ୍ବନ୍ଧିତ ଖବର