ପ୍ରାୟ ୨୦୦ ଡାକ୍ତର କରୋନାରେ ପ୍ରାଣ ହାରିଲେଣି

ପ୍ରଧାନମନ୍ତ୍ରୀ ଧ୍ୟାନ ଦିଅନ୍ତୁ: ଆଇଏମ୍‌ଏ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୨୦୦ ଡାକ୍ତର କରୋନାରେ ପ୍ରାଣ ହରାଇଲେଣି। ଆଇଏମ୍‌ଏ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶ ଏଯାବତ୍‌ ୧୯୬ ଜଣ ଡାକ୍ତରଙ୍କୁ କରୋନାରେ ହରାଇ ସାରିଲାଣି। ଏମାନଙ୍କ ମଧ୍ୟରୁ ୧୭୦ ଜଣଙ୍କ ବୟସ ୫୦ ବର୍ଷରୁ ଅଧିକ । କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଡାକ୍ତରଙ୍କ ସୁରକ୍ଷା ପ୍ରସଙ୍ଗ‌ରେ ଚିନ୍ତା ପ୍ରକଟ କରିଛି ଆଇଏମ୍‌ଏ। ଅଧିକରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହେଲେଣି। ଆଇଏମ୍‌ଏ ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଜ୍ବର କିମ୍ବା ଥଣ୍ଡା ହେଲେ ଲୋକେ ଡାକ୍ତରଙ୍କ ପାଖକୁ ଯାଉଥିବାରୁ ସେମାନେ ଅତି ସହଜରେ କରୋନା ସଂକ୍ରମିତ ହେଉଛନ୍ତି। ତେଣୁ ଆଇଏମ୍‌ଏ ପକ୍ଷରୁ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଚିଠି ଲେଖାଯାଇଛି।

ଯେଉଁମାନେ ଅତି ବିପଦରେ ଅଛନ୍ତି ସେମାନଙ୍କୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ଅଧିକ ଯତ୍ନବାନ୍‌ ହେବାକୁ ପଡ଼ିବ ବୋଲି ଆଇଏମ୍‌ଏ ପକ୍ଷରୁ ମୋଦୀଙ୍କ ପାଖକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସେମାନଙ୍କ ପରିବ‌ାର ସଦସ୍ୟଙ୍କୁ ହସ୍ପିଟାଲ୍‌ରେ ବେଡ୍‌ ମିଳୁନଥିବା ଜାଣିବାକୁ ମିଳିଛି। ତେଣୁ ଏଥିପ୍ରତି ମଧ୍ୟ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଆଇଏମ୍‌ଏ ପକ୍ଷରୁ କୁହାଯାଇଛି। ଆଇଏମ୍‌ଏ ସାଧାରଣ ସଚିବ ଡ. ଆର୍‌ ଭି ଅଶୋକନ କହିଛନ୍ତି ଯେ, କୋଭିଡ୍‌-୧୯ ଯୋଗୁଁ ଡାକ୍ତରମାନଙ୍କ ମଧ୍ୟରେ ମୃତ୍ୟୁ ହାର ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଲାଣି। ତେଣୁ ଡାକ୍ତରଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର