କାବୁଲରେ ଫସିରହିଛନ୍ତି ୨୦୦ ଶିଖଙ୍କ ସମେତ ବହୁ ଭାରତୀୟ, ତୁରନ୍ତ ସ୍ଥାନାନ୍ତର ପାଇଁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

କାବୁଲ : ଆଫଗାନିସ୍ତାନରେ ଫସିରହିଛନ୍ତି ବହୁ ଭାରତୀୟ ନାଗରିକ। ତାଲିବାନ କ୍ଷମତାକୁ ଆସିବା ପରେ ସେମାନଙ୍କ ଜୀବନ ଉପରେ ବିପଦ ଦେଖାଦେଇଛି। ସମସ୍ତ ଭାରତୀୟଙ୍କ ସଂପର୍କରେ ସୂଚନା ମିଳି ନଥିଲେ ହେଁ ଗୋଟିଏ ଗୁରୁଦ୍ବାରାରେ ୨୦୦ ଶିଖ୍ ଫସି ରହିଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଏମାନଙ୍କ ସହ ସମସ୍ତ ଭାରତୀୟଙ୍କୁ ତୁରନ୍ତ ଦେଶକୁ ଫେରାଇ ଆଣିବା ଲାଗି ସେ ବ‌ୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ଦୂତାବାସର କର୍ମଚାରୀ ମଧ୍ୟ କାବୁଲରେ ରହିଥିବା ସୂଚନା ରହିଛି। କାବୁଲରୁ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଯେଉଁ ବିମାନ ଯିବା କଥା ତାହା ଯାଇପାରିନାହିଁ। ଏଭଳି ସ୍ଥିତିରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି।

ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି । ଏହା ସହ ୨୦ବର୍ଷ ପରେ ପୁଣି କ୍ଷମତାକୁ ଫେରିଛି ତାଲିବାନ। ତେବେ ତାଲିବାନ କ୍ଷମତାକୁ ଆସିିବା ପରେ ଏବେ ଆଫଗାନିସ୍ତାନରେ ଥିବା ବିଭିନ୍ନ ଦେଶର ଲୋକେ ଏବଂ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସୁରକ୍ଷା ଦୃଷ୍ଟିରୁ କାବୁଲ ଏୟାରସ୍ପେସ ବନ୍ଦ କରିଦିଆଯିବା ପରେ ଏବେ ଆଫଗାନିସ୍ତାନରୁ କାହାକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ମନ୍ତ୍ରାଳୟକୁ ଟୁଇଟ୍ କରି କ୍ୟାପଟେନ ଅମରିନ୍ଦର ସିଂହ ଲେଖିଛନ୍ତି ଯେ, ତାଲିବାନର ଦଖଲ ପରେ ଆଫଗାନିସ୍ତାନର ଏକ ଗୁରୁଦ୍ୱାରାରେ ଅଟକି ରହିଥିବା ପ୍ରାୟ ୨୦୦ଶିଖଙ୍କ ସମେତ ସମସ୍ତ ଭାରତୀୟଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଅନୁରୋଧ କରୁଛି। ସେମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆବଶ୍ୟକ ଯେ କୌଣସି ସହାୟତା ଯୋଗାଇବାକୁ ମୋ ସରକାର ପ୍ରସ୍ତୁତ |

ସମ୍ବନ୍ଧିତ ଖବର