ଇଂଲଣ୍ଡର୍‌ ସ୍ମେଦ୍‌ୱିକ୍‌ସ୍ଥିତ ହିନ୍ଦୁ ମନ୍ଦିର ବାହାରେ ୨୦୦ ଉତ୍ତ୍ୟକ୍ତ ସଂଖ୍ୟାଲଘୁଙ୍କ ପ୍ରତିବାଦ ପ୍ରଦର୍ଶନ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି କୁହାଯାଉଥିବା ପ୍ରାୟ ୨୦୦ ଉତ୍ତ୍ୟକ୍ତ ଜନତା ମଙ୍ଗଳବାର ଦିନ ଇଂଲଣ୍ଡ୍‌ର ୱେଷ୍ଟ୍‌ ମିଡ୍‌ଲାଣ୍ଡ୍‌ସ୍‌ ଅନ୍ତର୍ଗତ ସ୍ମେଦ୍‌ୱିକ୍‌ ନଗରୀସ୍ଥିତ ଗୋଟାଏ ହିନ୍ଦୁ ମନ୍ଦିର ବାହାରେ ଯୋଜନାବଦ୍ଧ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଥିବା ଭିଡିଓଗୁଡ଼ିକରେ ଦେଖାଯାଉଛି ସ୍ପୋନ୍‌ ଲେନ୍‌ରେ ଥିବା ‘ଦୁର୍ଗା ଭବନ ହିନ୍ଦୁ ସେଣ୍ଟର୍‌’ ଆଡ଼କୁ ବହୁସଂଖ୍ୟକ ଲୋକ ଚାଲି ଚାଲି ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ‘ଆଲ୍ଲା ହୋ ଅକ୍‌ବର୍‌’ ସ୍ଲୋଗାନ୍‌ ଚିତ୍କାର କରୁଥିବା ମଧ୍ୟ ଶୁଭୁଛି।

କେତେକ ପ୍ରତିବାଦକାରୀ ମନ୍ଦିର ପାଚେରି ଚଢ଼ିବାକୁ ଉଦ୍ୟମ କରିବାରୁ ଆଇନ ପ୍ରଣୟନ କର୍ମଚାରୀମାନେ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଉଦ୍ୟମ କରିଥିଲେ।

‘ବର୍ମିଙ୍ଗ୍‌ହାମ୍‌’ ୱାର୍ଲଡ୍‌’ ରିପୋର୍ଟ ଅନୁସାରେ, ମଙ୍ଗଳବାର ଦିନ ‘ଦୁର୍ଗା ଭବନ’ ମନ୍ଦିର ବାହାରେ ‘ଆପ୍‌ନା ମୁସ୍‌ଲିମ୍‌ସ୍‌’ ବୋଲି କୁହାଯାଉଥିବା ଗୋଟାଏ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଡାକରା ଦେଇଥିଲା।

Image Courtesy of India Today

ପୁଲିସ କହିବା ଅନୁସାରେ, ଅଗଷ୍ଟ ଶେଷରେ ଦୁବାଇରେ ଅନୁଷ୍ଠିତ ‘ଭାରତ-ପାକିସ୍ତାନ ଏସିଆ କପ୍‌’ କ୍ରିକେଟ୍‌ ମ୍ୟାଚ୍‌ ପରେ ଇଂଲଣ୍ଡ୍‌ର ପୂର୍ବାଞ୍ଚଳ ନଗରୀ ଲେଷ୍ଟର୍‌ରେ ତୁମୁଳ ସଂଘର୍ଷ ଘଟିଥିଲା। ତା’ପରେ ପରେ ଉପରୋକ୍ତ ଘଟଣା ସବୁ ଘଟିଛି। ଲେଷ୍ଟର୍‌ରେ ନଗରୀରେ ଥିବା ଗୋଟାଏ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯିବା ସହି ମନ୍ଦିର ବାହାରେ ଲାଗି ଥିବା ଗୈରିକ ବାନାଟିକୁ କେତେକ ଅଜ୍ଞାନ୍ତ ବ୍ୟକ୍ତି ଟାଣି ବାହାର କରିଦେଇଥିବା ରିପୋର୍ଟ ମଧ୍ୟ ମିଳିଛି।

ଏ ସମ୍ପର୍କରେ ଅବଗତ ହେବା ପରେ ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇକମିସନ୍‌ କଡ଼ା ଭାଷାରେ ବିବୃତି ଦେଇ ଭାରତୀୟ ସମ୍ପ୍ରଦାୟଙ୍କ ବିରୋଧରେ ଘଟିଥିବା ହିଂସାକାଣ୍ଡକୁ ନିନ୍ଦା କରିବା ସହ ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଛି।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଲେଷ୍ଟର୍‌ ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୪୭ଜଣଙ୍କୁ ଗିରଫ କରାଯାଇ ସାରିଲାଣି।

ସମ୍ବନ୍ଧିତ ଖବର