୨୦୦ ଆତଙ୍କବାଦୀ ମାରିଲେ ଆଉ: ୨୦୦ ପାକିସ୍ତାନରୁ ଆସୁଛନ୍ତି

ଶ୍ରୀନଗର: କଶ୍ମୀରରେ ଶାନ୍ତି ଫେରାଇ ଆଣିବା ଲାଗି କେବଳ ଆତଙ୍କବାଦୀଙ୍କର ନିପାତ ସମାଧାନ ନୁହେଁ। ଯଦି ଆମେ ୨୦୦ ଆତଙ୍କବାଦୀଙ୍କୁ ମାରିଦେବା ଆଉ ୨୦୦ ଆତଙ୍କବାଦୀ ପାକିସ୍ତାନରୁ ଆସି ଆସ୍ଥାନ ଜମାଇବେ। ତେଣୁ ଏହା କେବେହେଲେ ଏକ ସମାଧାନର ସୁତ୍ର ନୁହେଁ। ଏଥିଲାଗି କେବଳ କୋମଳ ନୀତି ଆପଣାଇଲେ ହିଁ ପରିସ୍ଥିତିରେ ପରିବର୍ତ୍ତନ ଆସିପାରିବ ବୋଲି ଜମ୍ମୁୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି।

ଗତକାଲି ଇଣ୍ଡିଆ ଫାଉଣ୍ଡେସନ୍‌ର ‘ଇଣ୍ଡିଆ ଆଇଡିଆଜ୍‌ କନକ୍ଲେଭ୍‌ ୨୦୧୭’ର ଆଲୋଚନା ପର୍ଯ୍ୟାୟରେ ଅଂଶଗ୍ରହଣ କରି ମୁଫତି କଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କ ପ୍ରତି ନରମ ମନୋଭାବ ପୋଷଣ ସଂକ୍ରାନ୍ତରେ ଏକ ପ୍ରଶ୍ନର ଜବାବ୍‌ରେ କହିଥିଲେ ଯେ ରାଜ୍ୟରୁ କେବଳ ଆତଙ୍କବାଦୀଙ୍କୁ ହଟାଇଦେଲେ ସମସ୍ୟାର ସମାଧାନ ହୋଇଯିବନି। ଆତଙ୍କବାଦ ଏବଂ ଲଢ଼େଇରେ ପରିବର୍ତ୍ତନ ଆଣିବା ଦରକାର। ଯେଉଁମାନେ ସେନା ଏବଂ ଅନ୍ୟ ସୁରକ୍ଷା ବାହିନୀରେ ଅଛନ୍ତି ସେମାନେ ସେମାନଙ୍କ କାର୍ଯ୍ୟ ସଫଳ ରୂପେ ସମ୍ପାଦନ କରୁଛନ୍ତି ବୋଲି ଭାବୁଛନ୍ତି। କିନ୍ତୁ ପ୍ରକୃତରେ ସେମାନେ ଏକାକୀ ଏହି କାର୍ଯ୍ୟ ସମ୍ପାଦନ କରିପାରିବେନି ବୋଲି ମୁଫତି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଯେପରି ପାକିସ୍ତାନ ସହ ଶାନ୍ତି ମାର୍ଗ ଆପଣାଇଥିଲେ ଆମେ ମଧ୍ୟ ଠିକ୍‌ ସେପରି କରିବା ତେବେ ପରିସ୍ଥିତି ନିଶ୍ଚିତ ବଦଳିଯିବ ବୋଲି ମୁଫ୍‌ତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର