ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୪ (ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ)କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ମଧ୍ୟପ୍ରଦେଶର ବ୍ୟାପମ ଦୁର୍ନୀତିର ମହା ଅନର୍ଥକୁ ସ୍ମରଣ କରାଇ ଦେଉଛି। ଦେଶର ଯୁବବର୍ଗଙ୍କୁ ବହୁତ କ୍ଷତି ପହାଞ୍ଚାଉଥିବା ପେପର୍‌ ଲିକ୍‌ ଏବେ ମୋଦୀ ୩.୦ ସରକାର ପାଇଁ ବଡ଼ ଚ୍ୟାଲେଂଜ ପାଲଟିଥିବା ବେଳେ ବିରୋଧୀ ଦଳମାନେ ସରକାରକୁ ଘେରିବା ପାଇଁ ଏହାକୁ ପ୍ରମୁଖ ଅସ୍ତ୍ର କଲେଣି। ପେପର୍‌ ଲିକ୍‌ ତାତିରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ତମ୍ବିତୋଫାନ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ପୂର୍ବରୁ ବିଜେପି ଶାସିତ ମଧ୍ୟପ୍ରଦେଶରେ ଘଟିଥିବା ବ୍ୟାପମ ଦୁର୍ନୀତି ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାକୁ ଆସିଛି।

Advertisment

ମଧ୍ୟପ୍ରଦେଶ ପ୍ରଫେସନାଲ ପରୀକ୍ଷା ବୋର୍ଡ (ଏମ୍‌ପିପିଇବି) ଦୁର୍ନୀତି ନାମରେ ପରିଚିତ ବ୍ୟାପମ ଦୁର୍ନୀତି ମଧ୍ୟପ୍ରଦେଶରେ ଘଟିଥିବା ଏକ ବିଶାଳ ପରୀକ୍ଷା ଓ ନିଯୁକ୍ତି ଦୁର୍ନୀତି ଥିଲା ଏବଂ ରାଜ୍ୟରେ ସେତେବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ପ୍ରତିଷ୍ଠାକୁ ଏକ ବଡ଼ ଝଟକା ଦେଇଥିଲା। ଏହି ଦୁର୍ନୀତି ସମ୍ପର୍କରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

ବ୍ୟାପମ୍‌: ବ୍ୟାପମ ନାମର ଅର୍ଥ ହେଉଛି ବ୍ୟାବସାୟିକ ପରୀକ୍ଷା ମଣ୍ଡଳ। ଏହା ମଧ୍ୟପ୍ରଦେଶର ବିଭିନ୍ନ ସରକାରୀ ପଦବୀ ପାଇଁ ବୃତ୍ତିଗତ ପାଠ୍ୟକ୍ରମ ଏବଂ ନିଯୁକ୍ତି ପରୀକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥାଏ।

ଦୁର୍ନୀତି ସମୟସୀମା: ବ୍ୟାପମ ଦ୍ୱାରା ପରିଚାଳିତ ପ୍ରି-ମେଡିକାଲ ଟେଷ୍ଟ (ପିଏମ୍‌ଟି)ରେ ଅନିୟମିତତା ଜଣାପଡ଼ିବା ପରେ ୨୦୧୩ରେ ବ୍ୟାପମ ଦୁର୍ନୀତି ପଦାକୁ ଆସିଥିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ ଏକାଧିକ ପରୀକ୍ଷା ଓ ନିଯୁକ୍ତିକୁ ନେଇ ଏହି ଦୁର୍ନୀତି ଅନେକ ବର୍ଷ ଧରି ଚାଲିଥିଲା।

ସମ୍ପୃକ୍ତି: ଏହି ଦୁର୍ନୀତିରେ ନେତା, ଦଲାଲ, ପରୀକ୍ଷାର୍ଥୀ ଏବଂ ଅଧିକାରୀଙ୍କ ଏକ ବିଶାଳ ନେଟ୍‌ୱର୍କ ସାମିଲ ଥିଲା। ଏହି ନେଟ୍‌ୱର୍କ ପରୀକ୍ଷା ଫଳାଫଳରେ ହେରଫେର କରିବା, ନକଲି ପରିଚୟ ଦେବା ଏବଂ ଅନ୍ୟାୟ ଉପାୟରେ ନାମଲେଖା ଏବଂ ଚାକିରି ସୁରକ୍ଷିତ କରିବା ପାଇଁ ହାତ ମିଳାଇଥିଲେ ।

ହାଇପ୍ରୋଫାଇଲ୍‌ ଗିରଫଦାରୀ: ବ୍ୟାପମ ଦୁର୍ନୀତିର ତଦନ୍ତ ପରେ ରାଜନେତା, ସରକାରୀ ଅଧିକାରୀ ଏବଂ ଶିକ୍ଷା ପେସାଦାରଙ୍କ ସମେତ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସମଗ୍ର ମାମଲାରେ ପ୍ରାୟ ୨୦୦୦ ଲୋକ ଗିରଫ ହୋଇଥିଲେ।

ଦୁର୍ନୀତିର ବ୍ୟାପକତା: ବ୍ୟାପମ ଦୁର୍ନୀତି ହଜାର ହଜାର ପ୍ରାର୍ଥୀଙ୍କୁ ପ୍ରଭାବିତ କରିଥିଲା। ଏହି ଦୁର୍ନୀତିରେ ମେଡିକାଲ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଏବଂ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମପାଇଁ ପ୍ରବେଶିକା ପରୀକ୍ଷା ସହ ସରକାରୀ ପଦବି ପାଇଁ ନିଯୁକ୍ତି ପରୀକ୍ଷାରେ ହେରଫେର ହୋଇଥିଲା।

ମୃତ୍ୟୁ ଓ ବିବାଦ: ଅନେକ ଅଭିଯୁକ୍ତ, ସାକ୍ଷୀ ଏବଂ ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିବା କାର୍ଯ୍ୟକର୍ତ୍ତାଙ୍କ ରହସ୍ୟମୟ ମୃତ୍ୟୁ ଯୋଗୁଁ ବ୍ୟାପମ ଦୁର୍ନୀତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରାୟ ଶହେ ଜଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା।

ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ସମେତ ଏକାଧିକ ଏଜେନ୍ସି ଏହି ଦୁର୍ନୀତିର ତଦନ୍ତ କରିଥିଲେ। ଏହି ମାମଲାରେ ଏକାଧିକ ଗିରଫଦାରୀ, ଚାର୍ଜସିଟ୍ ଏବଂ କୋର୍ଟ ପ୍ରକ୍ରିୟା ସମ୍ପୃକ୍ତ ଥିଲା।

ଦୋଷୀ ସାବ୍ୟସ୍ତ ଓ ଦୋଷମୁକ୍ତ: ବ୍ୟାପମ ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ତଦନ୍ତ ଓ ବିଚାର ସମୟରେ ଅନେକ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ପ୍ରମାଣ ଅଭାବରୁ କେତେକ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି।

ସଂସ୍କାର ଏବଂ ବ୍ୟବସ୍ଥା ପୁନରୁଦ୍ଧାର: ବ୍ୟାପମ ଦୁର୍ନୀତି ମଧ୍ୟପ୍ରଦେଶରେ ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ସ୍ୱଚ୍ଛତା ବୃଦ୍ଧି, ଅନଲାଇନ୍ ପରୀକ୍ଷା ଆରମ୍ଭ କରିବା ଏବଂ ବ୍ୟବସ୍ଥାର ସାମଗ୍ରିକ ଅଖଣ୍ଡତାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା। ବ୍ୟାପମ ଦୁର୍ନୀତିର ସୁଦୂରପ୍ରସାରୀ ପରିଣାମ ଥିଲା ଏବଂ ଶିକ୍ଷା ଓ ନିଯୁକ୍ତି ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲାଗିଥିଲା। ଏହା ସମଗ୍ର ଭାରତରେ ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଏବଂ କଠୋର ସତର୍କତା ପାଇଁ ଏକ ଚେତାବନୀ ଭାବରେ କାର୍ଯ୍ୟ କରିଥିଲା।