ଏଟିଏମରୁ ଗାୟବ ହେବାରେ ଲାଗିଛି ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ୨ ହଜାର ଟଙ୍କାର ବ୍ୟବହାର | ଯେଉଁଥିପାଇଁ ବିଗତ କିଛି ଦିନ ହେଲାଣି ଅନେକ ବ୍ୟାଙ୍କର ଏଟିଏମ୍ ମେସିନରୁ ୨୦୦୦ ଟଙ୍କା ନୋଟ୍ ବାହାରୁନାହିଁ | କେତେକ ବ୍ୟାଙ୍କ ଆନୁଷ୍ଠାନିକ ଭାବେ ୨୦୦୦ ଟଙ୍କା ନୋଟ୍ ନ ରଖିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ କହିଛି ଯେ ଗତ ଏକ ବର୍ଷ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ଛପା ହୋଇନାହିଁ। ଅର୍ଥାତ୍ ବଜାରରେ ୨ ହଜାର ଟଙ୍କାର କୌଣସି ନୂଆ ନୋଟ୍ ନାହିଁ |

୨୦୧୯-୨୦ ପାଇଁ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୧୮ ଶେଷରେ ପ୍ରଚଳନ ଥିବା ୨ ହଜାର ଟଙ୍କିଆ ନୋଟ ସଂଖ୍ୟା ୩୩,୬୩୨ ଲକ୍ଷ ଥିଲା, ଯାହା ମାର୍ଚ୍ଚ ୨୦୧୯ ଶେଷ ସୁଦ୍ଧା ୩୨,୯୧୦ ଲକ୍ଷକୁ ଖସି ଆସିଥିଲା। ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା, ପ୍ରଚଳନ ୨ ହଜାର ଟଙ୍କିଆ ନୋଟ ସଂଖ୍ୟା ଆହୁରି ୨୭୩୯୮ ଲକ୍ଷକୁ ହ୍ରାସ ପାଇଛି |

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ମୋଟ ୨ ହଜାର ଟଙ୍କିଆ ନୋଟର ଅଂଶ ସମୁଦାୟ ଟଙ୍କାର ୨.୪ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦାୟ ଟଙ୍କାରେ ୨ ହଜାର ଟଙ୍କିଆ ନୋଟର ଅଂଶ ୩ ପ୍ରତିଶତ ଏବଂ ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ୩.୩ ପ୍ରତିଶତ ଥିଲା।

ସମ୍ବନ୍ଧିତ ଖବର