୧୯ ବର୍ଷ ମଧ୍ୟରେ ୨୦୦୦ ବାଘ ଶିକାର, ଭାରତରେ ୬୨୬

ନାଗପୁର : ଗତ ୧୯ ବର୍ଷ ମଧ୍ୟ‌‌ରେ ବିଶ୍ବବ୍ୟାପୀ ୩୨ଟି ଦେଶରେ ୨୦୦୦ ବାଘ ଶିକାର ହୋଇଛି। ବାଘ ଶରୀରର ବିଭିନ୍ନ ମୂଲ୍ୟବାନ୍‌ ଅଂଶ ପାଇଁ ୨୦୦୦ରୁ ୨୦୧୮ ମଧ୍ୟରେ ୧୯୭୭ଟି ବାଘ ଶିକାର ହୋଇଥିବା ବ୍ରି‌ଟେନ୍‌ର ଟ୍ରାଫିକ୍‌ ଇଣ୍ଟରନ୍ୟାସନାଲ୍‌ ରିପୋର୍ଟରୁ ଜଣାପଡ଼ିଛି। ପ୍ରତିବର୍ଷ ହାରାହାରି ପ୍ରାୟ ୧୦୪ ବାଘ ଶିକାର କରାଯାଉଛି। ‌ତେବେ ସାରା ବିଶ୍ବରେ ବାଘ ସଂଖ୍ୟା ୩୯୫୧ ଥିବାବେଳେ ଏଥି ମଧ୍ୟରୁ ୭୫.୦୯ ପ୍ରତିଶତ ତଥା ୨୯୬୭ ବାଘ ଭାରତରେ ଅଛନ୍ତି। ଗତ ୧୯ ବର୍ଷ ମଧ୍ୟରେ ଭାରତରେ ୬୨୬ ବାଘ ଶିକାର ହୋଇଛି। ସେହିପରି ୪୬୩ଟି ବାଘ ସମ୍ପର୍କିତ ଜବତ ମାମଲା ରହିଛି। ରିପୋର୍ଟ ଅନୁଯାୟୀ ୩୨ଟି ଦେଶରେ ୩୮୨ ବାଘ ଜୀବନ୍ତ ଧରାଯାଇଛି।

ଭାରତରେ ସବୁଠୁ ଅଧିକ ବାଘ ଶିକାର ହେଉଥିବା ବେଳେ ଏହା ପଛକୁ ଥାଇଲାଣ୍ଡ୍‌ ରହିଛି। ଥାଇଲାଣ୍ଡ୍‌ରେ ୩୬୯ ବାଘ ଶିକାର କରାଯାଇଛି। ୪୯ଟି ବାଘ ସମ୍ପର୍କିତ ଜବତ ମାମଲା ରହିଛି। ଇଣ୍ଡୋନେସିଆରେ ୨୬୬ ବାଘ ଶିକାର ହୋଇଥିବା ବେଳେ ୧୧୯ଟି ଜବତ ମାମଲା ରେକର୍ଡ ହୋଇଛି। ଚୀନ୍‌ରେ ୨୪୬ ବାଘ ଶିକାର ହୋଇଥିବା ବେଳେ ୧୨୬ଟି ଜବତ ମାମଲା ରହିଛି। ଭିଏତନାମରେ ୨୧୬ ବାଘ ଶିକାର ହୋଇଥିବା ବେଳେ ୮୯ଟି ବାଘ ସମ୍ପର୍କିତ ଜବତ ମାମଲା ରହିଛି। ନେପାଳରେ ୧୯୭ ବାଘ ଶିକାର ହୋଇଥିବା ବେଳେ ମାଲେସିଆରେ ୧୦୭, ରୁଷ୍‌ରେ ୧୦୭ ବାଘ ଶିକାର କରାଯାଇଛି। ୩୨ଟି ଦେଶରେ ୨୩୫୯ଟି ବାଘ ଶରୀରର ବିଭିନ୍ନ ଅଂଶ ଜବତ କରାଯାଇଛି। ବିଶ୍ବବ୍ୟାପୀ ୩୨ଟି ଦେଶରୁ ସମୁଦାୟ ୧୧୪୨ ବାଘ ଶରୀରର ବିଭିନ୍ନ ଅଂଶ ଜବତ କରାଯାଇଛି। ପ୍ରତିବର୍ଷ ହାରାହାରି ୬୦ ବାଘ ସଂକ୍ରାନ୍ତ ଜବତ ମାମଲା ହେଉଥିବା ଜଣାପଡ଼ିଛି। ଭାରତ, ଚୀନ୍‌ ଏବଂ ଇଣ୍ଡୋନେସିଆରେ ସବୁଠାରୁ ଅଧିକ ଜବତ ମାମଲା ଥିବା ଜଣାପଡ଼ିଛି। ପ୍ରତିବର୍ଷ ହାରାହାରି ୫୮ଟି ବାଘକୁ ଚମଡ଼ା ପାଇଁ ଶିକାର କରାଯାଉଛି। ବାଘ ଶିକାର ଏବଂ ଜବତ ସଂକ୍ରାନ୍ତ ମାମଲାରେ ୧୧୬୭ ଜଣ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର