୫ ମାସରେ ସର୍ବାଧିକ ସଂକ୍ରମଣ: ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ମାମଲା

ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ବିପଦ

ନୂଆଦିଲ୍ଲୀ: ଦେଶରେ ୫ ମାସରେ ଆଜି ସର୍ବାଧିକ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୪୫ ଦିନ ପରେ ଦେଶରେ ୨୪ ଘଣ୍ଟାରେ ୨୦,୧୩୯ ନୂଆ ମାମଲା ଚିହ୍ନଟ ହେବା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୬,୮୯,୯୮୯ ରହିଛି। ଅନ୍ୟପକ୍ଷରେ ସକ୍ରିୟ ମାମଲା ୧,୩୬,୦୭୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୮ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୫୫୭ରେ ପହଞ୍ଚିଛି । ସକ୍ରିୟ ମାମଲା ‌ମୋଟ ସଂକ୍ରମଣ ମାମଲାର ୦.୩୧ ପ୍ରତିଶତ। କରୋନା ଆରୋଗ୍ୟ ହାର ୯୮.୪୯ ପ୍ରତିଶତ ରହିଛି। ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୩,୬୧୯ ମାମଲା ବୃଦ୍ଧି ହୋଇଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୫.୧୦ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୪.୩୭ ପ୍ରତିଶତ ଥିବା ବେଳେ ମୃତ୍ୟୁ ହାର ୧.୨୦ ପ୍ରତିଶତ ରହିଛି।

ଭୁବନେଶ୍ବର: ରାଜ୍ୟରେ କରୋନା ମିଟର ଉପରମୁହାଁ ରହିଛି। ଗତ ୨୪ଘଣ୍ଟାରେ ସଂକ୍ରମଣ ୮ଶହ ଡେଇଁଛି। ଦୈନିକ ସଂକ୍ରମଣ ଏବେ ୨୭ ଜିଲ୍ଲାକୁ ଲମ୍ବିଲାଣି। କେବଳ ରଥଯାତ୍ରା ନୁହେଁ, ଏବେ ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼ିବା ରାଜ୍ୟ ପାଇଁ ନୂଆ ବିପଦ ଆଣିଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ସଂକ୍ରମଣ ବଢ଼ୁଥିବାରୁ ଏସବୁ ରାଜ୍ୟକୁ ଲାଗିଥିବା ଜିଲ୍ଲାଗୁଡ଼ିକ ପାଇଁ ସତର୍କ ରହିବାର ସମୟ ଆସିଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ଦିଲ୍ଲୀ, ମୁମ୍ବାଇ, କେରଳ ଭଳି ରାଜ୍ୟରେ ସଂକ୍ରମଣ କମୁଛି। ଯଦିଓ ଦ୍ରୁତ ହ୍ରାସ ହେଉନାହିଁ, କିନ୍ତୁ ଧୀରେ ଧୀରେ କମି ଚାଲିଛି। କରୋନାର ପୂର୍ବ ଲହର ଗୁଡ଼ିକରେ ଦେଶର ବଡ଼ ସହରଗୁଡ଼ିକରେ ସଂକ୍ରମଣ ଆରମ୍ଭ ହେବାର ପ୍ରାୟ ୧ମାସ ପରେ ଓଡ଼ିଶାରେ ସଂକ୍ରମଣ ବଢ଼ୁଥିଲା। ଚଳିତ ଲହରରେ ମଧ୍ୟ ସମାନ ସ୍ଥିତି ରହିଛି। ମାତ୍ର ଏବେ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ପାଇଁ ଚିନ୍ତା ବଢ଼ାଇଛି। ଏହାକୁ ନଜରରେ ରଖି ସ୍ଥାନୀୟ ଜିଲ୍ଲାଗୁଡ଼ିକରେ ସର୍ଭେଲାନ୍‌ସକୁ ବଢ଼ାଇ ଦିଆଯାଇଛି। ଯଦି କରୋନାର କୌଣସି ନୂଆ ପ୍ରଜାତି ରାଜ୍ୟରେ ଚିହ୍ନଟ ନ ହୁଏ ତାହାଲେ ଆସନ୍ତା ଅଗଷ୍ଟ ମାସ ଦ୍ବିତୀୟ ସପ୍ତାହ ଆଡ଼କୁ ରାଜ୍ୟରେ ସଂକ୍ରମଣ କମିପାରେ ବୋଲି ଡା.ମିଶ୍ର କହିଛନ୍ତି।

କୋଭିଡ ସଂକ୍ରମଣକୁ ନଜରରେ ରଖି କୋଭିଡ ଟେଷ୍ଟିଂ ବଢ଼ି ଚାଲିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯,୨୧୮‌ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୮୦୪ ପଜିଟିଭ୍ ବାହାରିଛନ୍ତି। ଟିପିଆର ବା ସଂକ୍ରମଣ ହାର ରହିଛି ୪.୧୮ ପ୍ରତିଶତ। ହେଲେ ରାଜ୍ୟ ତୁଳନାରେ ଖୋର୍ଧାରେ ୧୩.୨, ପୁରୀ ୮.୫ ଓ କଟକରେ ୭.୭ ପ୍ରତିଶତ ଅଧିକ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୩୦୭, କଟକ ୧୧୯, ସୁନ୍ଦରଗଡ଼ ୮୦, ସମ୍ବଲପୁର ୩୦, ପୁରୀ-ମୟୂରଭଞ୍ଜରୁ ୨୮ ଲେଖାଏ, ଯାଜପୁର ୧୯ ଓ ଷ୍ଟେଟ୍‌ ପୁଲରୁ ୭୧ଜଣ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୯୬,୧୩୨କୁ ବୃଦ୍ଧି ପାଇଛି। ରାଜ୍ୟରେ କୋଭିଡ ମୃତ୍ୟୁ ୯୧୨୭ରେ ସ୍ଥିର ରହିଛି।
ରାଜ୍ୟରେ ଆଜି ୪୭୯ ରୋଗୀ ସୁସ୍ଥ ହେବା ଫଳରେ ୩୭୮୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଗତକାଲି ସୁଦ୍ଧା ସେମାନଙ୍କ ମଧ୍ୟରୁ ୩୯ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯାହାକି ମୋଟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ପ୍ରତିଶତ। ୩୯ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୦ଜଣ ସାଧାରଣ ଶଯ୍ୟାରେ ଥିବା ସୂଚନା ମିଳିଛି। ୯୯ ପ୍ରତିଶତ ଘରେ ପୃଥକବାସରେ ଚିକିତ୍ସିତ ହେଉଥିବାରୁ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ କମ୍ ଚାପ ରହିଛି।

ସମ୍ବନ୍ଧିତ ଖବର