ନୂଆଦିଲ୍ଲୀ : ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତିସ୍ତା ଶୀତଲୱାଡ଼ଙ୍କୁ ଆଜି ସୁପ୍ରିମକୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ ତିସ୍ତାଙ୍କୁ ନିୟମିତ ଜାମିନ ମଂଜୁର କରିଛନ୍ତି। କୋର୍ଟ କହିଛନ୍ତି, ତିସ୍ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇସାରିଛି ଏବଂ ତାଙ୍କ ହାଜତ ଜେରା ବି ଶେଷ ହୋଇଛି। ତାଙ୍କୁ ଜାମିନ ମିଳିବା ଉଚିତ। ପୂର୍ବରୁ ଗୁଜରାଟ ହାଇକୋର୍ଟ ତିସ୍ତାଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ଏହି ମାମଲାରେ ତୁରନ୍ତ କୋର୍ଟରେ ହାଜର ହେବାପାଇଁ କହିଥିଲେ। ଆଜି ଜଷ୍ଟିସ ବି.ଆର ଗୱାଇ, ଏଏସ୍ ବୋପନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରି ତିସ୍ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ୨୦୨୨, ସେପ୍ଟେମ୍ବର ୨ରୁ ତିସ୍ତାଙ୍କୁ ନିୟମିତ ଜାମିନ ଦିଆଯାଇଛି ବୋଲି ଧରି ନିଆଯିବ। ତେବେ ତିସ୍ତା କୌଣସି ପ୍ରକାରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ଏବଂ ସେମାନଙ୍କଠାରୁ ଦୂରେଇ ରହିବେ ବୋଲି କୋର୍ଟ କହିଛନ୍ତି। ଯଦି ତିସ୍ତା କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି ତେବେ ଗୁଜରାଟ ପୁଲିସ ସିଧାସଳଖ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାପାଇଁ ଖଣ୍ଡପୀଠ ସ୍ବାଧୀନତା ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ତିସ୍ତା ଶୀତଲୱାଡ଼ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଅଦାଲତରେ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ପ୍ରମାଣ ଦାଖଲ କରିବା ଅଭିଯୋଗରେ ଗିରଫ ହୋଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp