ନୂଆଦିଲ୍ଲୀ : ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଏସ୍‌ଆଇଟି ରିପୋର୍ଟକୁ ନେଇ କୋର୍ଟ ସହମତି ପ୍ରକାଶ କରିଛନ୍ତି ଏବଂ ଏହି ମାମଲାରେ ପ୍ରଧାନମନ୍ତ୍ରୀ ତଥା ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ୬୩ ଜଣଙ୍କୁ ମିଳିଥିବା କ୍ଲିନଚିଟ୍‌କୁ କାଏମ ରଖିଛନ୍ତି। କଂଗ୍ରେସ ନେତା ଏହସାନ ଜାଫରିଙ୍କ ପତ୍ନୀ ଜାକିଆ ଜାଫରି ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନଚିଟ୍‌କୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଆଣି ପୁନଃ ତଦନ୍ତ ଆଦେଶ ଦେବାପାଇଁ ସେ ଦାବି କରିଥିଲେ।

Advertisment

ଜଷ୍ଟିସ୍‌ ଏଏମ୍‌ ଖାନୱିଲକର, ଦିନେଶ ମାହେଶ୍ବରୀ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି, ଜାକିଆଙ୍କ ଆବେଦନରେ କିଛି ନୂଆ ତଥ୍ୟ ନାହିଁ କି କୌଣସି ବଳିଷ୍ଠ ଆଧାର ନାହିଁ। ଏସ୍‌ଆଇଟିର ତଦନ୍ତ ରିପୋର୍ଟରେ ‌କୌଣସି ତ୍ରୁଟି ହୋଇନାହିଁ ଏବଂ ଏହି ରିପୋର୍ଟକୁ ନେଇ ଖଣ୍ଡପୀଠ ସହମତ ଥିବା କହିଥିଲେ। ଏହି ମାମଲାରେ ଅହମଦାବା‌ଦ ‌ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମ୍‌ କୋର୍ଟ କା‌ଏମ ରଖିଛନ୍ତି ଏବଂ ଜାଫରିଙ୍କ ଆବେଦନ ‘ଭିନ୍ନ ଉଦ୍ଦେଶ୍ୟ’ ପ୍ରମାଣିତ କରୁଥିବା କହିଛନ୍ତି। କୋର୍ଟ କହିଛନ୍ତି, ଏସ୍‌ଆଇଟି ଚୂଡ଼ାନ୍ତ ରିପୋର୍ଟରେ କୌଣସି ତ୍ରୁଟି ନାହିଁ। ତଳ କୋର୍ଟର ନିଷ୍ପତ୍ତିକୁ କାଏମ ରଖି ଗୁଜରାଟ ହାଇକୋର୍ଟ ୨୦୧୭ ଅକ୍ଟୋବର ୫‌ରେ ଯେଉଁ ରାୟ ଦେଇଥିଲେ ତା’ ବିରୋଧରେ ଜାଫରି କରିଥିବା ଆବେଦନର କୌଣସି ଯଥାର୍ଥତା ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୦୨ରେ ଗୁଜରାଟରେ ବଡ଼ ଧରଣର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଦଙ୍ଗା ସମୟରେ ଅହମଦାବାଦର ଗୁଲ୍‌ବର୍ଗା ସୋସାଇଟିରେ ଏହସାନ ଜାଫ୍‌ରିଙ୍କ ସ‌ମେତ ୬୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୦୬ରେ ଜାକିଆ ଜାଫ୍‌ରି ଏନେଇ ମାମଲା ରୁଜୁ କରିଥିଲେ। ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ସେ ଦାବି କରିଥିଲେ। ୨୦୧୧ରେ ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ‌ହୋଇଥିଲା। ୨୦୧୨ ‌ଫେବ୍ରୁଆରିରେ ଏସ୍‌ଆଇଟି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା।