୨୦୦୨ ଗୁଜରାଟ ଦଙ୍ଗା: ୧୭ ଦୋଷୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଜାମିନ

ଗୁଜରାଟ ବାହାରେ ରହିବେ, ସମାଜସେବାରେ ନିୟୋଜିତ ହେବେ

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ଓ ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୭ ଜଣଙ୍କୁ ଆଜି ସୁପ୍ରିମ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ସେମାନେ ଗୁଜରାଟ ବାହାରେ ରହିବେ ଏବଂ ସପ୍ତାହରେ ଛଅ ଘଣ୍ଟା ଆଧ୍ୟାତ୍ମିକ ଓ ସମାଜସେବା କାର୍ଯ୍ୟରେ ନି‌ୟୋଜିତ ରହିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ସେମାନଙ୍କୁ ବିଭିନ୍ନ ବୌଦ୍ଧିକ କାର୍ଯ୍ୟକ୍ରମ ଓ କର୍ମଶାଳାରେ ଅଂଶଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୨ରେ ଗୋଧ୍ରା ପରବର୍ତ୍ତୀ ଦଙ୍ଗାର ଏକ ମାମଲାରେ ୧୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ମିଳିଥିଲା। ୨୦୦୨ ଫେବ୍ରୁଆରି ୨୮ରେ ଗୁଜରାଟର ସର୍ଦ୍ଦାରପୁର ଗ୍ରାମରେ ୩୩ ଜଣଙ୍କୁ ହତ୍ୟା କରାଯାଇଥିଲା। ଏମାନଙ୍କ ମଧ୍ୟରେ ୨୨ ଜଣ ମହିଳା ଥିଲେ। ଆଜି ଜାମିନ ପାଇଥିବା ସମସ୍ତ ଦୋଷୀଙ୍କୁ ମଧ୍ୟପ୍ରଦେଶକୁ ପଠାଯାଇଛି। ସେମାନଙ୍କ ପାଇଁ କାମ ଯୋଗାଇ ଦେବା ଏବଂ ନଜର ରଖିବା ନିମନ୍ତେ ଜବଲପୁର ଜିଲ୍ଲା ଆଇନ ସେଲ୍‌ କର୍ତ୍ତୃପକ୍ଷଙ୍କୁ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର