ମୁମ୍ବାଇ: ୨୦୦୬ ଜୁଲାଇ ୧୧ର ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ୨୦୧୫ ସେପ୍ଟେମ୍ବରରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡାଦେଶ ପାଇଥିବା ସମସ୍ତ ୫ ଅଭିଯୁକ୍ତ ଏବଂ ଆଜୀବନ କାରାଦଣ୍ଡାଦେଶ ପାଇଥିବା ୭ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ସୋମବାର ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। ଏଥି ସହ ସ୍ୱତନ୍ତ୍ର ମକୋକା ଅଦାଲତ ଦେଇଥିବା ରାୟକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।
ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲାକୁ ଦୃଢ଼ କରିବାରେ ପ୍ରସିକ୍ୟୁସନ ବିଫଳ ହୋଇଛି ବୋଲି ହାଇକୋର୍ଟ କହିଛନ୍ତି। କେଉଁ ପ୍ରକାର ବିସ୍ଫୋରକ ବ୍ୟବହାର କରାଯାଇଥିଲା ତାହା ପ୍ରସିକ୍ୟୁସନ୍ କହିବାରେ ବିଫଳ ହୋଇଥିଲା। ଅଭିଯୁକ୍ତଙ୍କ ସ୍ୱୀକାର ବୟାନ ବୈଧତା ପରୀକ୍ଷାରେ ବିଫଳ ହୋଇଥିଲା। କଥିତ ସ୍ୱୀକାର ପୂର୍ବରୁ ନିର୍ଯାତନା ଦିଆଯାଇଥିବା ନେଇ ପ୍ରତିପକ୍ଷଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିଥିଲେ। ହାଇକୋର୍ଟ ପରିଚୟ ପରେଡ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଶୁଣାଣି ସମୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ସାକ୍ଷୀଙ୍କ ବୟାନକୁ ବିଶ୍ୱସନୀୟତା ଅଭାବରୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ରାୟ ୬୭୧ ପୃଷ୍ଠାର ହେବ ଏବଂ ପରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ପ୍ରାୟ ୭ ମାସର ଶୁଣାଣି ପରେ ଚଳିତ ବର୍ଷ ଜାନୁଆରି ୩୧ତାରିଖରେ ହାଇକୋର୍ଟର ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଅନ୍ୟ ସାତ ଜଣ ଦୋଷୀଙ୍କ ସହ ୨୦୧୫ରେ ସ୍ୱତନ୍ତ୍ର ନିମ୍ନ ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ପାଇଥିବା ୫ ଜଣଙ୍କ ଭାଗ୍ୟ ଉପରେ ରାୟ ସଂରକ୍ଷିତ ରଖିଥିଲେ।
ଫୌଜଦାରୀ ଆଇନ ଅନୁଯାୟୀ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ପ୍ରଥମେ ଉଚ୍ଚ ଅଦାଲତ ନିଶ୍ଚିତ କରିବା ଆବଶ୍ୟକ। କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଅସ୍ୱାଭାବିକ ଯେ ସାକ୍ଷୀମାନେ ଚାରି ବର୍ଷ ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିଲେ। ଦୋଷୀ ସାବ୍ୟସ୍ତ ହେବା ପାଇଁ ପ୍ରସିକ୍ୟୁସନ ଯୋଗାଇଥିବା ପ୍ରମାଣ ସୁରକ୍ଷିତ ନୁହେଁ। କିଛି ସାକ୍ଷୀ ପେସାଦାର ସାକ୍ଷୀ ଥିଲେ। ବୋମା ତିଆରି ହେଉଥିବା ‘ଦେଖିଥିବା’ ସାକ୍ଷୀ ୧୦୦ ଦିନ ଧରି ଚୁପ୍ ରହିଥିଲେ। ସେ ପ୍ରଥମେ ଜଣେ ସନ୍ଦିଗ୍ଧ ଥିଲେ ଓ ପରେ ବୟାନ ବଦଳାଇଲେ।
ଏହି ଘଟଣାକୁ ୭/୧୧ ରେଳ ବିସ୍ଫୋରଣ ମାମଲା ବୋଲି କୁହାଯାଉଛି। ନିମ୍ନ ଅଦାଲତଙ୍କ ରାୟ ଅନୁଯାୟୀ, ଆର୍ଡିଏକ୍ସ ବିସ୍ଫୋରଣ ଯୋଗୁଁ ୧୮୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୨୭ ଜଣ ଆହତ ହୋଇଛନ୍ତି। ଖାର୍ ରୋଡ୍ ଓ ସାନ୍ତାକ୍ରୁଜ୍, ବାନ୍ଦ୍ରା ଓ ଖାର୍ ରୋଡ୍, ଯୋଗେଶ୍ୱରୀ ଓ ମାହିମ୍ ଜଙ୍କସନ୍, ମୀରା ରୋଡ୍ ଓ ଭାୟନ୍ଦର, ମତୁଙ୍ଗା ଓ ମହିମ୍ ଜଙ୍କସନ୍ ଏବଂ ବୋରିଭଲି ମଧ୍ୟରେ ଥିବା ୭ଟି ସ୍ଥାନରେ ସନ୍ଧ୍ୟାରେ ଟ୍ରେନରେ ବୋମା ବିସ୍ଫୋରଣ ହୋଇଥିଲା। ଦୋଷୀମାନେ ପୁଣେର ୟେରଵାଡା ସମେତ ରାଜ୍ୟର ବିଭିନ୍ନ ଜେଲ୍ ଏବଂ ନାସିକ୍, ଅମରାବତୀ ଓ ନାଗପୁରର ଜେଲ୍ରୁ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାଭେଦ ହୁସେନ ଖାନ ନିମ୍ନ ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ପାଇଥିବା ବେଳେ ହାଇକୋର୍ଟ ଶୁଣାଣି ସମୟରେ ନାଗପୁର ସେଣ୍ଟ୍ରାଲ ଜେଲରୁ ନିଜ ପାଇଁ କଥା ହୋଇଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ମିଛରେ ଫସାଇ ଦିଆଯାଇଛି ଓ ବିନା ପ୍ରମାଣରେ ୧୮ ବର୍ଷ ଜେଲରେ ବନ୍ଦୀ ଅଛନ୍ତି ବୋଲି ଯୁକ୍ତି ବାଢ଼ିଥିଲେ।
ବିହାରର ଦୋଷୀ କମଲ ଅନସାରୀ, ମୁମ୍ବାଇର ମହମ୍ମଦ ଫୈସଲ ଅତାଉର ରେହମାନ ଶେଖ୍, ଥାନେର ଏହତେଶାମ କୁତୁବୁଦ୍ଦିନ ସିଦ୍ଦିକି, ସିକନ୍ଦରାବାଦର ନାଭିଦ ହୁସେନ୍ ଖାନ୍ ଓ ମହାରାଷ୍ଟ୍ରର ଜଳଗାଓଁର ଆସିଫ୍ ଖାନଙ୍କୁ ବୋମା ଲଗାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ନିମ୍ନ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ମୃତ୍ୟୁଦଣ୍ଡାଦେଶ ପାଇଥିବା ଅନ୍ୟତମ ଦୋଷୀ ଅନସାରୀ ୨୦୨୧ରେ ନାଗପୁର ଜେଲରେ କୋଭିଡ୍-୧୯ରେ ପ୍ରାଣ ହରାଇଥିଲେ। ତନବୀର ଅହମଦ ମହମ୍ମଦ ଇବ୍ରାହିମ ଅନସାରୀ, ମହମ୍ମଦ ମଜିଦ ମହମ୍ମଦ ସଫି, ଶେଖ୍ ମହମ୍ମଦ ଅଲ୍ଲୀ ଆଲାମ ଶେଖ୍, ମହମ୍ମଦ ସାଜିଦ୍ ମାର୍ଗୁବ ଅନସାରୀ, ମୁଜାମ୍ମିଲ ଅତାଉର ରେହମାନ ଶେଖ୍, ସୁହେଲ ମେହମୁଦ ଶେଖ୍ ଓ ଜମିର ଅହମଦ ଲତିଉର ରେହମାନ ଶେଖଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଅନ୍ୟତମ ଅଭିଯୁକ୍ତ ୱାହିଦ ଶେଖଙ୍କୁ ନିମ୍ନ ଅଦାଲତ ୯ ବର୍ଷ ଜେଲରେ ରହିବା ପରେ ଦୋଷମୁକ୍ତ କରିଥିଲେ। ୨୦୧୫ରେ ମହାରାଷ୍ଟ୍ର ସରକାର ୫ ଦୋଷୀଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ସ୍ବତନ୍ତ୍ର ଅଦାଲତଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦୋଷୀମାନେ ହାଇକୋର୍ଟରେ ଆବେଦନ କରିଥିଲେ। ଅଭିଯୁକ୍ତମାନେ ରାୟକୁ ସ୍ବାଗତ କରିଥିବା ବେଳେ ସ୍ବତନ୍ତ୍ର ସରକାରୀ ଓକିଲ ରାଜା ଠାକରେ କହିଛନ୍ତି, ଏହି ରାୟ ସମସ୍ତଙ୍କ ପାଇଁ ଐତିହାସିକ ଓ ମାର୍ଗଦର୍ଶକ ହେବ।
୨୦୦୬ ମୁମ୍ବାଇ ରେଳ ବିସ୍ଫୋରଣ ମାମଲା: ସବୁ ଅଭିଯୁକ୍ତ ଦୋଷମୁକ୍ତ
୨୦୦୬ ଜୁଲାଇ ୧୧ର ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ୨୦୧୫ ସେପ୍ଟେମ୍ବରରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡାଦେଶ ପାଇଥିବା ସମସ୍ତ ୫ ଅଭିଯୁକ୍ତ ଏବଂ ଆଜୀବନ କାରାଦଣ୍ଡାଦେଶ ପାଇଥିବା ୭ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ...
/sambad/media/media_files/2025/07/22/mumbai-high-court-2025-07-22-07-58-56.jpg)