ବାଟ୍‌ଲା‌ ହାଉସ୍‌ ଏନ୍‌କାଉଣ୍ଟର ମାମଲା: ଆରିଜ ଖାନ୍‌ ଦୋଷୀସାବ୍ୟସ୍ତ

ନୂଆଦିଲ୍ଲୀ : ୨୦୦୮ ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର୍‌ ସହ ଜଡ଼ିତ ବିଭିନ୍ନ ଅପରାଧ ଏବଂ ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଆରିଜ ଖାନ୍‌ ଆଜି ଦୋଷୀସାବ୍ୟସ୍ତ ହୋଇଛି। ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ମୋଷ୍ଟ୍‌ ୱାଣ୍ଟେଡ୍‌ ଆତଙ୍କବାଦୀ ଆରିଜ ଖାନ୍‌ ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର୍‌ରୁ ଖସି ପଳାଇଥିଲା। ତେବେ ୨୦୧୮ରେ ତାକୁ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଦ୍ବାରା ଗିରଫ କରାଯାଇଥିଲା। ଦିଲ୍ଲୀ କୋର୍ଟ ଏହି ମାମଲାର ଶୁଣାଣି କରି ଆଜି ଆରିଜ ଖାନ୍‌କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଆରିଜ ଏବଂ ତା’ର ସହଯୋଗୀମାନେ ପୁଲିସ ଅଫିସର୍‌ ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା କରିଥିବା ପ୍ରମାଣ ହୋଇଛି ବୋଲି ଦିଲ୍ଲୀ କୋର୍ଟ କହିଛନ୍ତି।

ଅତିରିକ୍ତ ଜିଲ୍ଲା ବିଚାରପତି ସନ୍ଦୀପ ଯାଦବ ଏହି ମାମଲାରେ ଆରିଜକୁ ଦୋଷୀସାବ୍ୟସ୍ତ କରିଛନ୍ତି। ଆସନ୍ତା ୧୫ ତାରିଖରେ କୋର୍ଟ ଏହି ମାମଲାରେ ଆରିଜ ଖାନ୍‌ଙ୍କୁ ଦଣ୍ଡାଦେଶ ଶୁଣାଇବେ। ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର୍‌ ସମୟରେ ପୁଲିସ ଇନ୍ସ‌ପେକ୍ଟର ଶର୍ମାଙ୍କ ଦେହରେ ଗୁଳି ମାଡ଼ ହୋଇଥିଲା। ପରେ ତାଙ୍କର ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଯାଇଥିଲା। ତେବେ ଦିଲ୍ଲୀ ପୁଲିସ ଦାବି କରିଛି ଯେ, ୨୦୦୮‌ରେ ଜାମିଆ ନଗରରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ଆରିଜ ଖାନ୍‌ ଏବଂ ତା’ର ୪ ସହଯୋଗୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର