ଜୟପୁର: ୨୦୦୮, ମେ ୧୩ରେ ରାଜସ୍ଥାନର ଜୟପୁର ସହର‌ର ୯ଟି ସ୍ଥାନରେ ସିରିଜ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ୭୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୫ଜଣ ଆହତ ହୋଇଥିଲେ। ଏହି ଘଟଣାର ୧୮ ବର୍ଷ ପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ମାମଲାର ଅଭି‌ଯୁକ୍ତ ଶାହବାଜ ହୁସେନ୍‌, ମହମ୍ମଦ ସରୱାର୍‌ ଆଜମୀ, ମହମ୍ମଦ ସୈଫ୍‌ ଓ ସୈଫୁର ରହମାନକୁ  ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।  ଦଣ୍ଡାଦେଶ ସୋମବାର ଘୋଷଣା ହେବ। ଆଜି, ସ୍ବତନ୍ତ୍ର କୋର୍ଟ ଜଜ୍‌ ର‌ମେଶ କୁମାର ଯୋଶୀ ମାମଲାର ରାୟ ଶୁଣାଇଥିଲେ।

Advertisment

୯ଟି ବିସ୍ଫୋରଣରେ ୭୧ଜଣଙ୍କ ମୃତ୍ୟୁ ଓ ୧୮୫ ଆହତ ହୋଇଥିଲେ

ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ), ବିସ୍ଫୋରକ ସାମଗ୍ରୀ ନିରୋଧ ଆଇନ ଓ ଅନ୍ୟ ଆଇପିସି ଧାରାରେ ସମସ୍ତ ୪ ‌ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।  ସୂଚନାଯୋଗ୍ୟ, ଘଟଣା ଦିନ  ସାଇକଲରେ ବୋମା ଖଞ୍ଜା ଯାଇ ମାନକ ଚୌକ ଖାଣ୍ଡା, ଚାନ୍ଦପୋଲ ଗେଟ୍‌, ବଡ଼ି ଚୌପାଡ୍‌, ଛୋଟି ଚୌପାଡ଼୍‌, ତ୍ରିପୋଲିଆ ଗେଟ୍‌, ଜୋହରି ବଜାର ଓ ସ‌ଙ୍ଗାନେରୀ ଗେଟ୍‌ରେ  ରାତି ୭ଟା ୨୦ରୁ ୭ଟା ୪୫ ମଧ୍ୟରେ ୯ଟି ବିସ୍ଫୋରଣ କରାଯାଇଥିଲା। ଶ୍ରୀରାମଚନ୍ଦ୍ର ମନ୍ଦିର ନିକଟରେ ବୋମା ଫୁଟିନଥିଲା। ଏଥିରେ ୭୧ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାର ଶୁଣାଣି ଡିସେମ୍ବର ୨୦୦୮ରୁ ଆରମ୍ଭ ହୋଇଥିଲା। ୨୦୧୧ ମଧ୍ୟରେ ୪ଟି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା।  ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ- ସୈଫୁର ରହମାନ୍‌ ଓ ମୋହମ୍ମଦ ସୈଫ୍‌ ଜୟପୁର କେନ୍ଦ୍ରୀୟ ଜେଲ୍‌ରେ ବନ୍ଦୀ ଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଜାମିନରେ ଅଛନ୍ତି।