୨୦୧୨ ଚାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ମୃତ୍ୟୁଦଣ୍ଡରେ ଦଣ୍ଡିତ ୩ ଦୋଷୀ ଦୋଷମୁକ୍ତ

ନୂଆଦିଲ୍ଲୀ : ୨୦୧୨ ଦିଲ୍ଲୀ ଚାୱଲା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରା ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ୩ ଦୋଷୀଙ୍କୁ ସୁପ୍ରିମକୋର୍ଟ ଆଜି ଦୋଷମୁକ୍ତ କରିଛନ୍ତି। ପ୍ରଧାନ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ରବିନ୍ଦ୍ର ଭଟ ଏବଂ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି। କୋର୍ଟ ସମସ୍ତ ୩ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି। ଜଣେ ୧୯ ବର୍ଷୀୟା ଦିଲ୍ଲୀ ମହିଳା ଫେବ୍ରୁଆରି ୯, ୨୦୧୨ରେ କାମରୁ ଘରକୁ ଫେରୁଥିବାବେଳେ ରାହୁଲ, ରବି ଏବଂ ବିନୋଦ ନାମକ ୩ ଜଣ ବ୍ୟକ୍ତି ତାଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିବା ସହିତ ନିର୍ଯାତନା ଦେଇ ହତ୍ୟା କରିଥିଲେ।

ସେମାନେ ପୀଡ଼ିତାଙ୍କ ଆଖିରେ ଏସିଡ୍‌ ପକାଇ ଦେଇଥିଲେ। ୧୪ ଫେବ୍ରୁଆରିରେ ପୀଡ଼ିତାଙ୍କ କ୍ଷତାକ୍ତ ମର ଶରୀର ମିଳିଥିଲା। ଏହି ମାମଲାରେ ଟ୍ରାଏଲ କୋର୍ଟ ପ୍ରଥମେ ୩ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ଦିଲ୍ଲୀ ହାଇକୋର୍ଟ ଏହି ରାୟକୁ କାଏମ ରଖିଥିଲେ। ଦିଲ୍ଲୀ ହାଇକୋର୍ଟ ଉକ୍ତ ୩ ଦୋଷୀଙ୍କୁ ହିଂସ୍ର ପଶୁଙ୍କ ସହ ତୁଳନା କରିଥିଲେ। ଏହାପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ଉକ୍ତ ୩ ଦୋଷୀ ସୁପ୍ରିମକୋର୍ଟ ଯାଇଥିଲେ। ସେମାନଙ୍କ ଦଣ୍ଡାଦେଶ କମାଇବାପାଇଁ ସେମାନେ ଅନୁରୋଧ କରିଥିଲେ। ତେବେ ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ୩ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର