୨୦୧୩-୧୪ରୁ ୧୫ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବିଚାରାଧୀନ; ବିଳମ୍ବ ହେବ ନାହିଁ ତ ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ରିପୋର୍ଟ?

ନୂଆଦିଲ୍ଲୀ: ବାଲେଶ୍ବରର ବାହାନଗାରେ ଗତକାଲି ରାତିରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏତେ ବଡ଼ ଦୁର୍ଘଟଣା ବୈଷୟିକ ତ୍ରୁଟି ନା ମାନବ ଅବହେଳା ତାହା ତଦନ୍ତରୁ ଜଣାପଡ଼ିବ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଆସିବ। ହେଲେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନିର୍ଦ୍ଧାରିତ ସମୟରେ ଉପସ୍ଥାପନ କରାଯିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟିହୋଇଛି। ଏହି ପରିପେକ୍ଷୀରେ ସଂସଦୀୟ ଷ୍ଟାଣ୍ଡିଂ କମିଟି (ରାଜ୍ୟସଭା)ଙ୍କ ୩୪୬ତମ ‘କମିସନ୍‌ ଅଫ୍ ରେଲୱେ ସେଫ୍ଟି’ ରିପୋର୍ଟ ଚର୍ଚ୍ଚାକୁ ଆସିଛି। ପୂର୍ବରୁ ରେଳ ଦୁର୍ଘଟଣାକୁ ନେଇ ୧୫ଟି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଏବେବି ରେଳ ବୋର୍ଡରେ ବିଚାରଧୀନ ରହିଛି। ଏହା ‌ରେଳ ନିରାପତ୍ତା ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି (ରାଜ୍ୟସଭା) ରିପୋର୍ଟ କହୁଛି। ଭି. ବିଜୟସାଇ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟକୁ ଗତ ମାର୍ଚ୍ଚ ୨୪ରେ ସଂସଦରେ ଉପସ୍ଥାପନ କରାଯାଇଛି।

ଷ୍ଟାଣ୍ଡିଂ କମିଟି ସୁପାରିସରେ କହିଛନ୍ତି ଯେ ରେଳ ବୋର୍ଡକୁ ରେଳ ଦୁର୍ଘଟଣା ସଂପର୍କିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍‌)କୁ ଶୀଘ୍ର ଦାଖଲ କରିବାକୁ ପଡ଼ିବ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ପଡ଼ିବ। ଏହାକୁ କଡ଼ାକଡ଼ି ଭାବେ ମଧ୍ୟ ପାଳନ କରିବାକୁ ହେବ। ଏଥି ସହିତ ରେଳ ଦୁର୍ଘଟଣା, ପ୍ରାଣହାନି ଓ ସଂପତ୍ତି ନଷ୍ଟରୁ ବର୍ତ୍ତିବା ପାଇଁ ପ୍ରଭାବୀ ପଦକ୍ଷେପ ନେବାକୁ ପଡିବ। ୨୦୧୩-୧୪ରୁ ରେଳ ବୋର୍ଡରେ ୧୫ଟି ଏଟିଆର୍‌ ପଡ଼ିରହିଛି। ଏଟିଆର୍‌ ଦାଖଲରେ ଅତ୍ୟଧିକ ବିଳମ୍ବ ଦୁର୍ଘଟଣା ସଂପର୍କିତ ତଦନ୍ତର ସମସ୍ତ ପ୍ରୟାସକୁ ନି‌ଷ୍ଫଳ କରୁଛି। ‘କମିସନ୍‌ ଫର୍‌ ରେଲ୍‌ୱେ ସେଫ୍ଟି’ ରେଳ ମନ୍ତ୍ରାଳୟକୁ ୩୦ ଦିନରେ ପ୍ରାରମ୍ଭିକ ଓ ୧୮୦ ଦିନରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ବ୍ୟବସ୍ଥା ରହିଛି।

‘ରେଲୱେ ସେଫ୍ଟି କମିସନ’ଙ୍କୁ ରେଳ ବୋର୍ଡ ଏଟିଆର୍‌ ଦାଖଲ କରିବା ପ୍ରକ୍ରିୟାକୁ ତ୍ବରିତ କରିବାର ଆବଶ୍ୟକତା ରହିଛି। ଏହା ସହିତ ପ୍ରଚଳିତ ନିୟମର ଏକତରଫା ପରିବର୍ତ୍ତନ କରିବାର ପ୍ରବୃତ୍ତିକୁ ଏଡ଼ାଇବାକୁ ମଧ୍ୟ ପଡ଼ିବ। ‘କମିସନ ଅଫ୍‌ ରେଲୱେ ସେଫ୍‌ଟି’ ସହିତ ବିଚାରବିମର୍ଶ କରାନଯାଇ ନିୟମଗୁଡ଼ିକର ଏକତରଫା ପରିବର୍ତ୍ତନ ରେଳ ନିରାପତ୍ତା ଉପରେ ପ୍ରଭାବ ପକାଉଛି। ‘ରେଲୱେ ସେଫ୍ଟି କମିସନ’ଙ୍କ ସୁପାରିସକୁ ରେଳ ମନ୍ତ୍ରାଳୟ ଅଗ୍ରାଧିକାର ଦେବାକୁ କମିଟି କହିଛନ୍ତି। ଏହା ସହ କମିଟି ରେଳ ଦୁର୍ଘଟଣା ରୋକିବା ପାଇଁ ‘ରିସର୍ଚ୍ଚ ଡିଜାଇନ୍‌ ଆଣ୍ଡ୍‌ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ’ (ଆର୍‌ଡିଏସ୍‌ଓ) ଦ୍ବାରା ବିକଶିତ କରାଯାଇଥିବା ବ୍ୟବସ୍ଥାକୁ ପର୍ଯ୍ୟାୟ କ୍ରମେ ଭାରତର ସମସ୍ତ ରେଳ ମାର୍ଗରେ ଲାଗୁ ପାଇଁ ସୁପାରିସ କରିଛନ୍ତି।

ସମ୍ବନ୍ଧିତ ଖବର