ନୂଆଦିଲ୍ଲୀ: ୨୦୧୩ ମସିହାର ଦିଲ୍ଲୀ ଗୁଡ଼ିୟା ଦୁଷ୍କର୍ମ ମାମଲାରେ ଆଜି ପୋକ୍‌ସୋ କୋର୍ଟ ୨ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ପୂର୍ବ ଦିଲ୍ଲୀରେ ଘଟିଥିବା ଗୁଡ଼ିୟା ଦୁଷ୍କର୍ମ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଦୀର୍ଘ ୬ ବର୍ଷ ପରେ ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତ ମନୋଜ ଶାହ ଏବଂ ପ୍ରଦୀପ କୁମାରକୁ ଆଜି କୋର୍ଟ ଦୋଷୀସାବ୍ୟସ୍ତ କରିଛନ୍ତି। ଆସନ୍ତା ଜାନୁଆରି ୩୦ରେ ଦୋଷୀଙ୍କ ବିରୋଧରେ କୋର୍ଟ ଦଣ୍ଡାଦେଶ କରିବେ। ଅତିରିକ୍ତ ଜିଲ୍ଲା ବିଚାରପତି ନରେଶ କୁମାର ମାଲହୋତ୍ରା ଦୁଇଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ କହିଛନ୍ତି, ଏହି ମାମଲା ସମାଜର ସାମୁହିକ ବିବେକକୁ ଦୋହଲାଇ ଦେଇଥିଲା। ୫ ବର୍ଷର ଶିଶୁ ଗୁଡ଼ିୟାକୁ ଅତ୍ୟନ୍ତ ଅମାନୁଷିକ ଅତ୍ୟାଚାର କରାଯାଇଥିଲା। କୋର୍ଟଙ୍କ ରାୟ ଆସିବାପରେ ପୀଡ଼ିତାଙ୍କ ବାପା ଖୁସିବ୍ୟକ୍ତ କରିବା ସହ କହିଛନ୍ତି, ଶେଷରେ ଝିଅକୁ ନ୍ୟାୟ ମିଳିଲା। ୨୦୧୩ ଏପ୍ରିଲ , ୧୫ରେ ୫ ବ‌ର୍ଷୀୟା ଶିଶୁକୁ ଅପହରଣ କରିନେଇ ଦୁଷ୍କର୍ମ ପରେ ଅତି ବର୍ବର ଅତ୍ୟାଚାର କରାଯାଇଥିଲା।