୨୦୧୭ ଅଲୱର ଭିଡ଼ହିଂସା, ପେହଲୁ ଖାନ୍‌ ଏବଂ ୨ ପୁଅଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

ବିଜେପି ସରକାରକୁ ଦାୟୀ କଲେ ଗେହଲଟ୍‌, ଦରକାର ପଡ଼ିଲେ ପୁନଃ ତଦନ୍ତ ହେବ

ନୂଆଦିଲ୍ଲୀ: ୨୦୧୭ ମସିହାର ଅଲୱର ଭିଡ଼ହିଂସା ଘଟଣାରେ ପ୍ରାଣ ହରାଇଥିବା ପେହଲୁ ଖାନ୍‌ ଏବଂ ତାଙ୍କର ୨ ପୁଅ ଇସରଦ୍‌(୨୫) ଏବଂ ଆରିଫ୍‌ (୨୨) ବିରୋଧରେ ରାଜସ୍ଥାନ ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି। ଗାଈ ଚୋରା ଚାଲାଣ ଅଭିଯୋଗରେ ପେହଲୁ ଖାନ୍‌ଙ୍କ ଦୁଇ ପୁଅଙ୍କ ବିରୋଧରେ ରାଜସ୍ଥାନ ବୋଭାଇନ ଏନିମଲ୍‌ ଆଇନ ୧୯୯୫ର ଧାରା ୫,୮, ଏବଂ ୯ ଅଧୀନରେ ଚାର୍ଜସିଟ୍‌ ଦାଖଲ ହୋଇଛି ଏବଂ ପେହଲୁ ଖାନ୍‌ ବିରୋଧରେ ତା’ ମୃତ୍ୟୁ ପରେ ଧାରା ୬ ଅଧୀନରେ ମାମଲା ରୁଜୁ ହୋଇଛି। ରାଜସ୍ଥାନରେ କଂଗ୍ରେସ ସରକାର ଆସିବାର ୧୩ ଦିନ ପରେ ଗତବର୍ଷ ଡିସେମ୍ବର ୩୦ ତାରିଖରେ ପେହଲୁ ଖାନ୍‌ ବିରୋଧରେ ଚାର୍ଜସିଟ୍‌ ପ୍ରସ୍ତୁତ ହୋଇଥିଲା। ତେବେ ମୃତ ପେହଲୁଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ପାଇଁ ବିରୋଧ ହେବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏଥିପାଇଁ ବି‌ଜେପି ସରକାରକୁ ଦାୟୀ କରିଛନ୍ତି। ଗେହଲଟ୍‌ କହିଛନ୍ତି ବିଜେପି ସରକାର ସମୟରେ ‌ହୋଇଥିବା ତଦନ୍ତ ଅନୁଯାୟୀ ପେହଲୁ ଖାନ୍‌ ଏବଂ ତା’ର ଦୁଇ ପୁଅଙ୍କ ବିରୋଧରେ ଚା‌ର୍ଜସିଟ୍‌ ଦାଖଲ ହୋଇଛି। ତେବେ ୨୦୧୮ ଡିସେମ୍ବରରେ ପ୍ରସ୍ତୁତ ହୋଇଥିବା ଚାର୍ଜସିଟରେ ପେହଲୁ ଖାନ୍‌ଙ୍କ ନାଁ ନଥିବା ସେ କହିଛନ୍ତି। ଅନ୍ୟପକ୍ଷେ ଗେହଲଟ୍‌ ଆଶ୍ବାସନା ଦେଇ କହିଛନ୍ତି, ଯଦି ତଦନ୍ତରେ କୌଣସି ପ୍ରକାର ଭୁଲ୍‌ଭଟକା ହୋଇଥିବା ଜଣାପଡ଼େ ତେବେ ଏହି ମାମଲାଟିର ପୁନଃ ତଦନ୍ତ ହେବ।

ହରିୟାଣାର ପେହଲୁ ଖାନ୍‌କୁ ୨୦୧୭ ମସିହା ଏପ୍ରିଲ୧ ତାରିଖରେ ଅଲୱରର ବେହରୋର୍‌ରେ କିଛି ଗୋ ସୁରକ୍ଷାକାରୀ ଗୋ ଚୋରାଚାଲାଣ ସନ୍ଦେହରେ ପିଟିପିଟି ହତ୍ୟା କରିଥିଲେ। ଉକ୍ତ ଘଟଣାକୁ ନେଇ ସେ ସମୟରେ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷେ ପେହଲୁ ଖାନ୍‌ଙ୍କ ବଡ଼ ପୁଅ କହିଛନ୍ତି ଆମେ କଂଗ୍ରେସ ସରକାରଠାରୁ ନ୍ୟାୟ ଆଶା କରିଥିଲୁ କିନ୍ତୁ ଆମକୁ ନ୍ୟାୟ ମିଳିବା ପରିବର୍ତ୍ତେ ଆମ ବିରୋଧରେ ଚାର୍ଜସିଟ୍‌ ଦାଖଲ ହେବ ବୋଲି କେବେ ଆଶା କରିନଥିଲୁ। ତେବେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସା‌ଦଉଦ୍ଦିନ୍‌ ଅୱେସି ଏହି ଚାର୍ଜସିଟ୍‌ ମାମଲାରେ ରାଜସ୍ଥାନ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ‌

ସମ୍ବନ୍ଧିତ ଖବର