୨୦୧୭ରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ହାମ୍‌ଲା ପାଇଁ ବ୍ୟବହୃତ ହୋଇଥିଲା ପିଡିପି ବିଧାୟକଙ୍କ ଗାଡ଼ି: ଏନ୍‌ଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଆଜି ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ଗତ ୨୦୧୭ରେ ଅମରନାଥ ଯାତ୍ରୀଙ୍କ ଉପରେ ଯେଉଁ ଆତଙ୍କବାଦୀ ହାମ୍‌ଲା ହୋଇଥିଲା ସେଥିରେ ଆତଙ୍କବାଦୀମାନେ ପିପ୍ୟୁଲସ୍‌ ଡେମୋକ୍ରଟିକ୍‌ ପାର୍ଟି (ପିଡିପି)ର ଜନୈକ ପୂର୍ବତନ ବିଧାୟକଙ୍କର ବ୍ୟକ୍ତିଗତ ଗାଡ଼ିକୁ ଏହି ଆତଙ୍କବାଦୀ ହାମ୍‌ଲା ପାଇଁ ବ୍ୟବହାର କରିଥିଲେ। ସଂପୃକ୍ତ ପିଡିପି ବିଧାୟକଙ୍କର ନାମ ଏଜାଜ୍‌ ଅହମ୍ମଦ ମୀର ଏବଂ ଦକ୍ଷିଣ କଶ୍ମୀର ସୋପିଆନ୍‌ ଜିଲ୍ଲାର ଏକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଏନ୍‌ଆଇଏ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ସେ ୨୦୧୭ ଜୁଲାଇ ମାସରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ଶ୍ରୀନଗର- ଜମ୍ମୁ ଜାତୀୟ ରାଜପଥର ଅନନ୍ତନାଗ ନିକଟବର୍ତ୍ତୀ ବାତେଙ୍ଗୁ ଅଞ୍ଚଳରେ ଅମରନାଥ ଯାତ୍ରୀମାନଙ୍କ ଉପରେ ଯେଉଁ ଆତଙ୍କବାଦୀ ହାମ୍‌ଲା କରିଥିଲେ, ସେଥିରେ ସେମାନେ ପୂର୍ବତନ ପିଡିପି ବିଧାୟକ ଏଜାଜ୍‌ ଅହମ୍ମଦ ମୀରଙ୍କର ଗାଡ଼ିକୁ ବ୍ୟବହାର କରିଥିଲେ। ଆତଙ୍କବାଦୀମାନଙ୍କର ଏହି ଆତଙ୍କୀ ହାମ୍‌ଲାରେ ୭ ଜଣ ଅମରନାଥ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୦ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ।

ତେବେ, ଏହି ଆତଙ୍କବାଦୀ ହାମ୍‌ଲା ପାଇଁ ଆତଙ୍କବାଦୀମାନେ ପିଡିପିର ପୂର୍ବତନ ବିଧାୟକ ଏଜାଜ୍‌ ଅହମ୍ମଦ ମୀରଙ୍କ ବ୍ୟକ୍ତିଗତ ଗାଡ଼ିକୁ ବ୍ୟବହାର କରିଥିବା ଜାଣିବାକୁ ପାଇବା ପରେ ଏବେ ଏନ୍‌ଆଇଏ ଅଧିକାରୀମାନେ ମୀରଙ୍କ ଅପରାଧିକ ରେକର୍ଡର ଯାଞ୍ଚ ଆରମ୍ଭ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର