୨୦୧୭: ୮୨୨ ସାଂପ୍ରଦାୟିକ ହିଂସା, ୧୧୧ ନିହତ

ନୂଆଦିଲ୍ଲୀ: ଦେଶରେ ୨୦୧୭ରେ ମୋଟ ୮୨୨ଟି ସାଂପ୍ରଦାୟିକ ହିଂସା ଘଟଣା ଘଟିଥିବା ବେଳେ ଏଥିରେ ମୋଟ ୧୧୧ ଜଣ ନିହତ ହୋଇଛନ୍ତି ଏବଂ ୨୩୮୪ ଜଣ ଆହତ ହୋଇଛନ୍ତି। ଏ ସଂପର୍କିତ ତଥ୍ୟ ଆଜି ଲୋକସଭାରେ ସରକାର ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଅହିର କହିଛନ୍ତି ଯେ ୨୦୧୭ରେ ସର୍ବାଧିକ ସାଂପ୍ରଦାୟିକ ଘଟଣା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏବଂ ସେଠାରେ ୪୪ ଜଣଙ୍କ ପ୍ରାଣହାନି ଘଟିଛି। ଉତ୍ତର ପ୍ରଦେଶରେ ୧୯୫ଟି ସାଂପ୍ରଦାୟିକ ଘଟଣାରେ ୫୪୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । କର୍ଣ୍ଣାଟକରେ ୧୦୦ଟି ସାଂପ୍ରଦାୟିକ ହିଂସା ଗତବର୍ଷ ଘଟିଥିବା ବେଳେ ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୨୯ ଜଣ ଆହତ ହୋଇଥିଲେ। ରାଜସ୍ଥାନରେ ୯୧ଟି ହିଂସାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୫ ଜଣ ଆହତ ହୋଇଥିଲେ। ମନ୍ତ୍ରୀ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ବିହାରରେ ୨୦୧୭ରେ ମୋଟ ୮୫ଟି ସାଂପ୍ରଦାୟିକ ହିଂସା ଘଟିଥିଲା।

ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨୧ ଜଣ ଆହତ ହୋଇଥିଲେ । ମଧ୍ୟପ୍ରଦେଶରେ ଘଟିଥିବା ୬୦ଟି ହିଂସା ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୯୧ ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗରେ ୫୮ଟି ହିଂସା ଘଟଣା ଘଟିଥିବା ବେଳେ ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୩୦ ଜଣ ଆହତ ହୋଇଥିଲେ। ଗୁଜରାଟରେ ୫୦ଟି ସାଂପ୍ରଦାୟିକ ହିଂସା ଘଟିଥିବା ବେଳେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୨୫ ଜଣ ଆହତ ହୋଇଥିଲେ। ୨୦୧୬ରେ ୭୦୩ଟି ସାଂପ୍ରଦାୟିକ ହିଂସା ଘଟଣାରେ ୮୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୩୨୧ ଜଣ ଆହତ ହୋଇଥିଲେ। ୨୦୧୫ରେ ଦେଶରେ ସାଂପ୍ରଦାୟିକ ହିଂସାରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର