ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୧ ଏପ୍ରିଲ୍ରେ ମତଦାନ ହେବାକୁ ଥିବା ୯୧ ଆସନ ନିମନ୍ତେ ଆଜି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଜମ୍ମୁ କଶ୍ମୀର, ପଶ୍ଚିମବଂଗ ସମେତ ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୯୧ଟି ସଂସଦୀୟ ଆସନ ପାଇଁ ମତଦାନ ହେବ। ଆଜି ବିଜେପି ନେତା ନୀତିନ ଗଡ଼କରୀ, ହେମା ମାଳିନୀ, ଭି.କେ. ସିଂହ, କଂଗ୍ରେସ ନେତା ରାଜ ବବ୍ବର ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉତ୍ତରପ୍ରଦେଶର ଫତେପୁର ସକ୍ରିରୁ ୟୁପି କଂଗ୍ରେସ ଅଧ୍ୟକ୍ଷ ରାଜ ବବ୍ବର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ହେମା ମାଳିନୀ ମଥୁରାରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାର ସ୍ବାମୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଥିଲେ ମଧ୍ୟ କେତେକ ବରିଷ୍ଠ କଂଗ୍ରେସ ନେତା ତାଙ୍କୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିବାରୁ ଏହାକୁ ନେଇ କଂଗ୍ରେସ-ଜେଡିଏସ୍ ମେଣ୍ଟରେ ବିବାଦ ଦେଖାଦେଇଛି। ପୂର୍ବ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ ଆଜି ଶିବଗଂଗା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜମ୍ମୁ କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଏନ୍ସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଆଜି ଶ୍ରୀନଗର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ
/sambad/media/post_attachments/wp-content/uploads/2019/03/nomination.jpg)