ନିକଟରେ ଅନୁଷ୍ଠିତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ନିର୍ବାଚନ ଫଳାଫଳରେ ତିନିଟି କଥା ଦେଖିବାକୁ ମିଳିଛି। ପ୍ରଥମଟି ହେଲା ମୋଦୀ୍ଙ୍କ ନେତୃତ୍ବାଧୀନ ବିଜେପି ଆଉ ଅପରାଜେୟ ନୁହେଁ। ଏହାର ଲୋକପ୍ରିୟତାକୁ ନେଇ ପ୍ରଶ୍ନ ଉଠିଲାଣି। ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଜିତିବା ଦଳ ପାଇଁ ଏତେ ସହଜ ହେବ ନାହିଁ। ଦ୍ବିତୀୟଟି ହେଲା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଅପ୍ରତ୍ୟାଶିତ ଉତ୍ଥାନ। ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ବିଜୟ ନୂଆ ସମୀକରଣ ସୃଷ୍ଟି କରିଛି। ଆଗାମୀ େଲାକସଭା ନିର୍ବାଚନରେ ବିଜେପି ପାଇଁ ଏହା ଚାଲେଞ୍ଜ ସୃଷ୍ଟି କରିବ। ତୃତୀୟ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଞ୍ଚଳିକ ଦଳ ପୁଣି ଥରେ ନିଜର ଦବଦବା ଜାହରି କଲେଣି। ବିଜେପି ଏବଂ କଂଗ୍ରେସ ଟକ୍କର ମଧ୍ୟରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂିମିକା ଗ୍ରହଣ କରିବେ। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ୨୦୧୯ ସାଧାରଣ ନିର୍ବାଚନରେ କୌଣସି ନିର୍ଦିଷ୍ଟ ଦଳକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ଆଞ୍ଚଳିକ ଦଳମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ସରକାର ଗଠନ କିଏ କରିବ ଏବଂ ପ୍ରଧାନମନ୍ତ୍ରୀ କିଏ ହେେବ ତାହା ସେମାନଙ୍କ ମର୍ଜି ଉପରେ ନିର୍ଭର କରିବ।
ଆଞ୍ଚଳିକ ଦଳମାନଙ୍କୁ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବା ଲାଗି ଗତବର୍ଷ ଉଦ୍ୟମ ଆରମ୍ଭ ହୋଇଥିଲା। ବିଜେପି ଏବଂ କଂଗ୍ରେସ ଠାରୁ ଦୂରତା ବଜାୟ ରଖୁଥିବା ଆଞ୍ଚଳିକ ଦଳ ଏଥିଲାଗି ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ଏହା କାମ ନଦେବାକୁ ଅଣ ବିଜେପି ମଞ୍ଚ ଗଠନ ପାଇଁ ଯୋଜନା ହେଲା।
ଲୋକସଭା ଉପନିର୍ବାଚନରେ ସେମାନେ ଏକାଠି ହୋଇ ଲଢିଲେ ଏବଂ କସରତ କିଛି କାମ ମଧ୍ୟ ଦେଲା। ଉତ୍ତର ପ୍ରଦେଶର ଗୋରଖପୁର, ଫୁଲପୁର ଓ କୈରାନା ଲୋକସଭା ଅାସନକୁ ବିଜେପି ହାତରୁ ଛଡ଼ାଇ ନେଲା ଏହି ମେଣ୍ଟ। ଏହାକୁ ଆଧାର କରି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେମାନେ ପୁଣି ଏକାଠି ହେଲେ। ସେଠାରେ ବିଜେପି ଅଧିକ ଆସନ ଜିତିଥିଲେ ମଧ୍ୟ ସେମାନେ ଏକାଠି ହୋଇ ଏହାକୁ ସରକାର କରାଇ ଦେେଲନାହିଁ। ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାରର ଶପଥ ଗ୍ରହଣ ଉତ୍ସବ ବେଳେ ମଧ୍ୟ ଏଭଳି ୧୭ଟି ଦଳ ଏକାଠି ହୋଇ ଦମ୍ଭ ଦେଖାଇଥିଲେ।
ଏଭଳି ରାଜନୈତିକ ପାଣିପାଗରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ନବୀନ ପଟ୍ଟନାୟକଙ୍କ ବିଜେଡି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, ଲାଲୁ ଯାଦବଙ୍କ ଆରଜେଡି, ପଲାନୀସ୍ବାମୀଙ୍କ ଆନ୍ନାଡିଏମକେ, ଷ୍ଟାଲିନଙ୍କ ଡିଏମକେ, ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍, ନୀତୀଶ କୁମାରଙ୍କ ଜେଡିୟୁ, ଦେବେଗୌଡ଼ାଙ୍କ ଜେଡିଏସ୍, ଶିବ ସେନା, ମାୟାବତୀଙ୍କ ବିଏସ୍ପି ଓ ଶରଦ ପାୱାରଙ୍କ ଏନସିପି ଭଳି ଶକ୍ତିଶାଳୀ ଆଞ୍ଚଳିକ ଦଳ କେନ୍ଦ୍ରରେ ନୂଆ ସରକାର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ନିଜ ନିଜ ରାଜ୍ୟରେ ଏହି ଦଳଗୁଡ଼ିକର ପତିଆରା ରହିଛି। ତେବେ ୨୦୧୯ ନିର୍ବାଚନ ପରେ ଏମାନେ ଏକାଠି ହେବାର ସମ୍ଭାବନା ନାହିଁ। ଏହାର ଫାଇଦା ନେବାପାଇଁ ବିଜେପି ଏବଂ କଂଗ୍ରେସ ଏମାନଙ୍କ ଉପରେ ଆଖି ପକାଇଛନ୍ତି। ଶିବସେନା, ଆନ୍ନାଡିଏମକେ, ଜେଡିୟୁ, ଟିଆରଏସ, ବିଜେଡି ଉପରେ ବିଜେପି ଆଖି ପକାଇଥିବା େବଳେ ଆରଜେଡି, ଟିଡିପି, ଜେଡିଏସ୍, ଡିଏମକେ, ଏନସିପି ଓ ଟିଏମସି ଉପରେ କଂଗ୍ରେସ ଆଖି ପକାଇଛି।
ତେବେ ୨୦୦୧ରୁ (ଗୁଜରାଟ ମୁଖ୍ୟମନ୍ତ୍ରୀ) ୧୮ ବର୍ଷ ଧରି ଏକଚାଟିଆ କ୍ଷମତା ଭୋଗ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ୨୦୧୯ ସବୁଠାରୁ ବଡ଼ ଚାଲେଞ୍ଜ। ଯଦି ତାଙ୍କ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳେ, ତାହାହେଲେ ସେ ଆରମ୍ଭ କରିଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ଆଉ କେହି ଅଟକାଇପାରିବେ ନାହିଁ। ଯଦି ଆଞ୍ଚଳିକ ଦଳ ସମର୍ଥନରେ ସରକାର ଗଠନ କରନ୍ତି, ତାହାହେଲେ ତାଙ୍କର ନେତୃତ୍ବ ଦୁର୍ବଳ ହୋଇପଡ଼ିବ। ତାଙ୍କୁ ଆଞ୍ଚଳିକ ଦଳର ନେତାମାନଙ୍କ ମର୍ଜିରେ କାମ କରିବାକୁ ପଡ଼ିବ। ଯଦି ଆଞ୍ଚଳିକ ଦଳ ସମର୍ଥନରେ କଂଗ୍ରେସ ସରାକର ଗଢ଼ିବ, ତାହାକୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିବ। ଫଳରେ ଏହି ସରକାରଗୁଡ଼ିକ ବିଭିନ୍ନ ରାଜ୍ୟର ରାଜଧାନୀରୁ ରିମୋଟ କଣ୍ଟ୍ରୋଲ ଦ୍ବାରା ପରିଚାଳିତ ହେବେ।