୨୦୧୯ ଲୋକସଭା ନିର୍ବାଚନ: ୪ ସାଂସଦ ୬ ଲକ୍ଷରୁ ଅଧିକ, ୯ ଜଣ ୫ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିଛନ୍ତି

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ‌ରେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିଥିବା ୫୦ ସାଂସଦଙ୍କ ମଧ୍ୟରେ ବିଜେପିର ୪୨ ଜଣ ଥିବାବେଳେ କଂଗ୍ରେସର ମାତ୍ର ୩ ଜଣ ଅଛନ୍ତି। କଂଗ୍ରେସ ସାଂସଦଙ୍କ ମଧ୍ୟରେ ରାହୁଲ ଗାନ୍ଧି ଅଛନ୍ତି। ସେ କେରଳର ୱାୟନାଡ଼ରୁ ଜିତିଥିଲେ। ଅନ୍ୟ ୨ ଜଣ ତାମିଲନାଡ଼ୁର। ତେବେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତିଥିବା ୫୦ ସାଂସଦଙ୍କ ମଧ୍ୟରେ ଡିଏମ୍‌କେର ୪ ଜଣ ଅଛନ୍ତି। ନିର୍ବାଚନ କମିସନ୍‌ ତଥ୍ୟ ଅନୁଯାୟୀ ୨୦୧୯ ଲୋକସଭା‌ ନିର୍ବାଚନରେ ୪ ଜଣ ସାଂସଦ ୬ ଲକ୍ଷରୁ ଅଧିକ ଭୋଟ୍‌ ଜିତିଥିବାବେଳେ ୯ ଜଣ ୫ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିଛନ୍ତି। ତେବେ ନିର୍ବାଚନ ଇତିହାସରେ ୫ ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କେବଳ ୪ ଥର ଦେଖିବାକୁ ମିଳିଛି। ୩୦୮ ଜଣରୁ ଅଧିକ ସାଂସଦ ୧ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିଥିଲେ। ଅନ୍ୟପକ୍ଷରେ ମୋଦୀ ଲହର ଯୋଗୁଁ ୨୦୧୯ ଲୋକସଭା ନିର୍ବାଚନରେ ସାଂସଦ ବିପି ସରୋଜ ଉତ୍ତରପ୍ରଦେଶର ମଛିଲସହର ଆସନରୁ ମାତ୍ର ୧୮୮ଟି ଭୋଟ୍‌ରେ ଜିତିଥିଲେ।

୧୭ତମ ଲୋକସଭା ନିର୍ବାଚନର ୨ ବର୍ଷ ପରେ ନିର୍ବାଚନ କମିସନ୍‌ ଗତ ସପ୍ତାହରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଥିବା ଶୀର୍ଷ ୫୦ ସାଂସଦଙ୍କ ମଧ୍ୟ‌‌ରେ ସବୁଠୁ ଆଗରେ ରହିଛନ୍ତି ସି ଆର୍‌ ପାଟିଲ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସେ ଅତି ଘନିଷ୍ଠ। ଗୁଜରାଟର ନବସରି ଆସନରୁ ସେ ୬.୮୯ ଲକ୍ଷ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ସେହିପରି ୬ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିଥିବା ସମସ୍ତ ୪ ଜଣ ସାଂସଦ ବିଜେପିର। ତାଲିକାରେ ରାଜସ୍ଥାନରୁ ସର୍ବାଧିକ ସାଂସଦ ଅଛନ୍ତି। ରାଜସ୍ଥାନରୁ ସର୍ବାଧିକ ୯ ଜଣ ଏବଂ ମଧ୍ୟପ୍ର‌ଦେଶରୁ ୬ ଜଣ ଏହି ତାଲିକାରେ ଅଛନ୍ତି।

ସମ୍ବନ୍ଧିତ ଖବର