ମାର୍ଚ୍ଚ ୭ରୁ ୧୦ ମଧ୍ୟରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ, ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ସମ୍ଭାବନା

ନୂଆଦିଲ୍ଲୀ : ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‌ ବାଜିପାରେ। ତାରିଖ ‌ଘୋଷଣାକୁ ନେଇ ଭାରତୀୟ ନିର୍ବାଚନ କମିସନ ଅନ୍ତିମ ପର୍ଯ୍ୟାୟ ବିଚାରବିମର୍ଶ ଜାରି ରଖିଥିବା ଜଣାପଡ଼ିଛି। ମାର୍ଚ୍ଚ ୭ରୁ ୧୦ ମଧ୍ୟ‌ରେ ଭାରତୀୟ ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ନିର୍ବା‌ଚନ ତାରିଖ ଘୋଷଣା ହେବା ପୂର୍ବରୁ ଅର୍ଥାତ୍‌ ୬ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରିବେ ତଥା ସମଗ୍ର ଦେଶରେ ଜାରି ରହିଥିବା ବିକାଶ କାର୍ଯ୍ୟ ସମୀକ୍ଷା କରିବେ। ଏହିଦିନ କେନ୍ଦ୍ର କ୍ୟାବିନେଟ୍‌ର ଅନ୍ତିମ କ୍ୟାବିନେଟ୍‌ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ଏହାପରେ ୭ ମାର୍ଚ୍ଚରୁ ୧୦ ମଧ୍ୟରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି। ତେବେ ପୂର୍ବରୁ ଭାରତୀୟ ନିର୍ବାଚନ କମିସନ୍‌ ୨୦୦୪ରେ ସାଧାରଣ ନିର୍ବାଚନ ପାଇଁ ୨୯ ଫେବ୍ରୁଆରି, ୨୦୦୯ ସାଧାରଣ ନିର୍ବାଚନ ପାଇଁ ୨ ମାର୍ଚ୍ଚ, ୨୦୧୪ ସାଧାରଣ ନିର୍ବାଚନ ପାଇଁ ୫ ମାର୍ଚ୍ଚରେ ତାରିଖ ଘୋଷଣା କରିଥିଲେ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ସମୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ। ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ୧୦ଟି ପର୍ଯ୍ୟାୟରେ ହେବ ବୋଲି ଚର୍ଚ୍ଚା‌ ହେଉଛି। ଓଡ଼ିଶାର ୨୧ଟି ଲୋକସଭା‌ ଓ ୧୪୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିସନ୍‌ ୨ଟି ପର୍ଯ୍ୟାୟରେ ନିର୍ବା‌ଚନ କରିବାପାଇଁ ବିଚାର କରୁଥିବା ଜଣାପଡ଼ିଛି। ନିର୍ବାଚନ କମିସନ ନିକଟରେ ଓଡ଼ିଶାରେ ରାଜନୈତିକ ‌ନେତା ତଥା ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିବା ପରେ ଓଡ଼ିଶା‌ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ଅବଗତ ‌ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର