୨୦୧୯ ଲୋକସଭା ଓ ଓଡ଼ିଶା ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବ ମାର୍ଚ୍ଚ ପ୍ରଥମ ସପ୍ତାହରେ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବା ପାଇଁ ମିଳିଛି। ଉଲ୍ଲେଖଯୋଗ୍ୟ ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ନୂତନ ଲୋକସଭା ଗଠନ ପାଇଁ ସମସ୍ତ ପ୍ରକ୍ରିୟା ନିର୍ବାଚନ କମିଶନଙ୍କୁ ଶେଷ କରିବା ପାଇଁ ପଡ଼ିବ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ପ୍ରକାଶ, କେତୋଟି ପର୍ଯ୍ୟାୟରେ ଓ କେଉଁ ମାସରେ ନିର୍ବାଚନ କରାଇବେ ସେ ନେଇ ବିଚାରବିମର୍ଶ ଆରମ୍ଭ କରି ଦେଇଛନ୍ତି। ନିର୍ବାଚନ କାଳରେ ମୁତୟନ ହେବାକୁ ଥିବା ସୁରକ୍ଷା ବାହିନୀର ଉପଲବ୍ଧତା ଓ ଆନୁଷଙ୍ଗିକ ଆବଶ୍ୟତାକୁ ଦୃଷ୍ଟିରେ ରଖି କେତୋଟି ପର୍ଯ୍ୟାୟରେ ଦେଶରେ ୨୦୧୯ ଲୋକସଭା ନିର୍ବାଚନକୁ ସଂପନ୍ନ କରାଯିବ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ। ତେବେ, ଯାହା ଜାଣିବାକୁ ମିଳିଛି, ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିପାରନ୍ତି।

୨୦୧୯ ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ ରାଜ୍ୟର ବିଧାନସଭା ପାଇଁ ମଧ୍ୟ ଏକକାଳୀନ ନିର୍ବାଚନ ଆୟୋଜିତ କରାଇବା ପାଇଁ ନିଷ୍ପତ୍ତି ନେଇପାରନ୍ତି ନିର୍ବାଚନ କମିଶନ। କାରଣ, ଏହି ଚାରିଟି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ମଧ୍ୟ ଏହି ସମୟ ସୀମା ମଧ୍ୟରେ ଶେଷ ହୋଇ ଯାଉଛି।

ଏଥିସହ ଗତ ୨୦୧୮ ନଭେମ୍ବରରେ ଜମ୍ମୁ- କଶ୍ମୀର ବିଧାନସଭାକୁ ଭଙ୍ଗ କରି ଦିଆଯିବା ପରେ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ଏବଂ ଯାହାର କାର୍ଯ୍ୟକାଳ ୨୦୧୯ ମେ ମାସରେ ଶେଷ ହେଉଛି। ତେଣୁ, ଲୋକସଭା ନିର୍ବାଚନ ସହ ଉପରୋକ୍ତ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ ସମେତ ଜମ୍ମୁ- କଶ୍ମୀରରେ ମଧ୍ୟ ନିଷ୍ପତ୍ତି ନେଇ ପାରନ୍ତି। ସିକିମ୍‌ ବିଧାନସଭାର କାର୍ଯ୍ୟକାଳ ୨୦୧୯ ମେ ୨୭ରେ ଶେଷ ହେବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଅରୁଣାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ଜୁନ୍‌ ୧୮, ଜୁନ୍‌ ୧୧ ଓ ଜୁନ୍‌ ୧ ତାରିଖରେ ଶେଷ ହେଉଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୪ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ନିର୍ବାଚନ କମିଶନ ମାର୍ଚ୍ଚ ୫ ତାରିଖରେ ଘୋଷଣା କରିଥିଲେ। ସେହିବର୍ଷ ଏପ୍ରିଲରୁ ମେ ମାସ ମଧ୍ୟରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର