ନୂଆଦିଲ୍ଲୀ: ୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସହ ଜଡ଼ିତ ବହୁତ ବଡ଼ ଷଡ୍ଯନ୍ତ୍ର ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ଅଭିଯୁକ୍ତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତା ଉମର ଖାଲିଦ, ଶର୍ଜିଲ ଇମାମ ଏବଂ ଅନ୍ୟ ସାତ ଜଣଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ଗୁଲଫିଶା ଫାତିମା, ମୋହମ୍ମଦ ସଲିମ ଖାନ, ଶିଫା ଉର ରେହମାନ, ଅତହର ଖାନ, ଖାଲିଦ ସୈଫି, ଶଦାବ ଅହମଦ ଓ ତସଲିମ ଅହମଦ। ସୂଚନାଯୋଗ୍ୟ, ଦିଲ୍ଲୀ ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଅଭିଯୋଗ କରିଛି ଯେ ଉମର ଖାଲିଦ, ଶର୍ଜିଲ ଇମାମ ଓ ଅନ୍ୟ ୭ ଅଭିଯୁକ୍ତ ଏହି ଦଙ୍ଗାକୁ ଉସକାଇବା ସହ ବିଶାଳ ଷଡ୍ଯନ୍ତ୍ର ରଚନା କରିଥିଲେ। ଏହି ମାମଲା ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଛି, ଯେଉଁଥିରେ ଆତଙ୍କବାଦୀ କାର୍ଯ୍ୟକଳାପ, ହିଂସାକୁ ପ୍ରୋତ୍ସାହନ ଏବଂ ଷଡ୍ଯନ୍ତ୍ର ସହ ଜଡ଼ିତ ଅଭିଯୋଗ ଅନ୍ତର୍ଭୁକ୍ତ। ପୁଲିସର ମୁଖ୍ୟ ପ୍ରମାଣରେ ହ୍ୱାଟ୍ସଆପ ଚାଟ, ସିସିଟିଭି ଫୁଟେଜ ଏବଂ ସାକ୍ଷୀଙ୍କ ବୟାନ ଅନ୍ତର୍ଭୁକ୍ତ ରହିଛି।
ଅଭିଯୁକ୍ତମାନଙ୍କ ଓକିଲମାନେ ଯୁକ୍ତି କରିଥିଲେ ଯେ ସେମାନଙ୍କ ମହକିଲମାନେ ନିରୀହ ଅଟନ୍ତି, ଏବଂ ସେମାନଙ୍କ ବିରୋଧରେ ପୂର୍ଣ୍ଣାଙ୍ଗ ପ୍ରମାଣ ନାହିଁ। ଦୀର୍ଘ ସମୟ ଧରି ହେପାଜତରେ ରହିଥିବା, ବିଚାର ପ୍ରକ୍ରିୟାରେ ବିଳମ୍ବ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଥିବା ଆଧାର ଦର୍ଶାଇ ସେମାନେ ଜାମିନ ଦାବି କରିଥିଲେ। ତେବେ ହାଇକୋର୍ଟ ଏହି ଯୁକ୍ତିଗୁଡ଼ିକୁ ଗ୍ରହଣ କରିନଥିଲେ ଏବଂ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୨୦ ଫେବ୍ରୁଆରି ୨୩ରୁ ୨୫ ତାରିଖ ମଧ୍ୟରେ ଘଟିଥିବା ଏହି ଦଙ୍ଗା ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି) ବିରୋଧୀ ଆନ୍ଦୋଳନ ସହ ଜଡ଼ିତ ଥିଲା।