୨୦୨୧-୨୨ କେନ୍ଦ୍ରୀୟ ବଜେଟ୍‌ ଲାଇଭ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ସ୍ବାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବ‌େ ସେ ଏହା ହେଉଛି ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି।  ୨୦୨୧-୨୨ ଆର୍ଥିକ ବର୍ଷର  ବଜେଟ୍‌ ୧୦୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ନିଆରା ହେବ ଏବଂ କେବେ ଦେଖିନଥିବା ଭଳି ବଜେଟ୍‌ ଆସିବ ବୋଲି ନିର୍ମଳା କହିଛନ୍ତି।ଅନେକ କହନ୍ତି, ଅର୍ଥନୀତିରେ ତାଙ୍କର ଭଲ ଜ୍ଞାନ ନାହିଁ, କିନ୍ତୁ ସେମାନେ ଜାଣିନାହାନ୍ତି ଯେ ବିଶ୍ବର ଏକ ପ୍ରମୁଖ ଆର୍ଥିକ ସଂସ୍ଥା ପିଡବ୍ଲୁସିରେ ‌କାର୍ଯ୍ୟ କରିବାର ଅଭିଜ୍ଞତା ନିର୍ମଳା ସୀତାରମଣଙ୍କ  ପାଖରେ ରହିଛି।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଥିବା ୨୦୨୧-୨୨ ବଜେଟ୍‌ ଭଳି ବଜେଟ୍‌କୁ ‘ପୂର୍ବରୁ କେବେ ଉସ୍ଥାପିତ ହୋଇ ନ ଥିବା କିଂବା ‘ମିନି ବଜେଟ୍‌ସ୍‌’ ବୋଲି କୁହାଯାଉଛି। ଏ ଭଳି ସଂକ୍ଷିପ୍ତ ବଜେଟ୍‌ ଉପସ୍ଥାପନ କରିବାରେ ନିର୍ମଳା ସୀତାରମଣ ହେଉଛନ୍ତି ଅଳ୍ପ କେତେଜଣ ଭାରତୀୟ ଅର୍ଥମନ୍ତ୍ରୀଙ୍କ ମଧ୍ୟରୁ ଜଣେ।

ଉଲ୍ଲେଖଯୋଗ୍ୟ, ଏଥରର କେନ୍ଦ୍ରୀୟ ବଜେଟ୍‌ କାଗଜରହିତ ବା ପେପରଲେସ୍ ହୋଇଥିବାରୁ ଅର୍ଥମନ୍ତ୍ରୀ ‘ଭାରତରେ ନିର୍ମିତ’ ଏକ ‘ଟ୍ୟାବ୍‌ଲେଟ୍‌’ରୁ ବଜେଟ୍‌ ଅଭିଭାଷଣ ପାଠ କରୁଛନ୍ତି।

କ୍ଷୁଦ୍ର ଟିକସଦାତାଙ୍କ ବିବାଦକୁ ଆହୁରି ହ୍ରାସ କରିବା ନିମନ୍ତେ ବିବାଦ ସମାଧାନ କମିଟି ଗଠନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ଦକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ନିମନ୍ତେ ଏହାକୁ ‘ଫେସ୍‌ଲେସ୍‌’ କରାଯିବ। ଟିକସ ଲାଗୁ ହେଉଥିବା ୫୦ ଲକ୍ଷ ପର୍ଯ୍ୟନ୍ତ ଆୟକାରୀ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ବ୍ୟକ୍ତି ବିବାଦୀୟ ଟିକସ ମାମଲାରେ ଏହି କମିଟିରେ ଆବେଦନ କରିପାରିବେ।

୨୦୨୦-୨୧ରେ ଆର୍ଥିକ ନିଅଣ୍ଟ ଥିଲା ‘ଜିଡିପି’ର ୯.୫%। ଦୁଇ ମାସରେ ବଜାର ଉପସ୍ଥାପନା ଲାଗି ଆଉ ୮୦,୦୦୦ କୋଟି ଟଙ୍କା ଆବଶ୍ୟକ। ୨୦୨୧-୨୨ ବର୍ଷରେ ଆର୍ଥିକ ନିଅଣ୍ଟ ’ଜିଡିପି’ର ୬.୮% ହେବ ବୋଲି ଆକଳନ କରାଯାଇଛି।

ସମ୍ପ୍ରତି ୬ ବର୍ଷ ଥିବା ‘ଟ୍ୟାକ୍ସ୍‍ ଆସେସ୍‌ମେଣ୍ଟ୍‌ ରିଓପେନିଙ୍ଗ୍‌’କୁ ୩ ବର୍ଷକୁ ହ୍ରାସ କରିବା ଲାଗି ପ୍ରସ୍ତାବ ରହିଛି।

ଆଗାମୀ ଜନଗଣନା ଭାରତ ଇତିହାସରେ ପ୍ରଥମ ଡିଜିଟାଲ୍‌ ଜନଗଣନା ହେବ। ଏହି ବିଶାଳ କାର୍ଯ୍ୟ ନିମନ୍ତେ ୨୦୨୧-୨୨ ବର୍ଷ ନିମନ୍ତେ ୩,୭୬୮ କୋଟି ଟଙ୍କା ମଞ୍ଜୁର ହୋଇଛି।

କେବଳ ପେନ୍‌ସନ୍‌ ଏବଂ ସୁଧରୁ ଆୟ କରୁଥିବା ୭୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ଲାଗି ଆୟକର ରିଟର୍ଣ୍ଣ ଦାଖଲ ଉଠାଇଦେବାକୁ ପ୍ରସ୍ତାବ ଦିଆଯାଇଛି।

ଲଦାଖରେ ଉଚ୍ଚ ଶିକ୍ଷା ନିମନ୍ତେ ଲେହ୍‌ରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ପ୍ରସ୍ତାବ ରହିଛି।

ଏନ୍‌ଜିଓ, ଘରୋଇ ସ୍କୁଲ୍‌, ଏବଂ ରାଜ୍ୟମାନଙ୍କ ଭାଗିଦାରୀରେ ୧୦୦ଟି ନୂଆ ସୈନିକ ସ୍କୁଲ୍‌ ଖୋଲାଯିବ। ‘ଭାରତର ଉଚ୍ଚ ଶିକ୍ଷା କମିସନ୍‌’ ଗଠନ ନିମନ୍ତେ ଏବର୍ଷ ପ୍ରସ୍ତାବନା ଆଗତ ହେବ।

ଅଣସ୍ୱୀକୃତ ଶ୍ରମ ବଳ ସମର୍ଥନ ଯୋଗାଇବାକୁ ସ୍ୱାଧୀନ ଠିକା ଶ୍ରମିକ, ନିର୍ମାଣ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ନିମନ୍ତେ ପୋର୍ଟାଲ୍‌ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ଫଳରେ ପ୍ରବାସୀ ଶ୍ରମିକମାନେ ସ୍ୱାସ୍ଥ୍ୟ, ଗୃହ, ଦକ୍ଷତା, ବୀମା ଓ ଖାଦ୍ୟ ଯୋଜନାରେ ସୁବିଧା ପାଇବେ।

ସ୍ୱାଧୀନ ଠିକାଦାରୀ ଏବଂ ପ୍ଲାଟ୍‌ଫର୍ମ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ହିତାଧିକାରୀ ଭାବେ ଗ୍ରହଣ କରାଯିବ। ସବୁ ଶ୍ରେଣୀର ଶ୍ରମିକମାନଙ୍କ ଳାଗି ସର୍ବନିମ୍ନ ମଜୁରି ଲାଗୁ ହେବ। ରାତି ସିଫ୍‌ଟ୍‌ରେ କାର୍ଯ୍ୟ କରିବା ଲାଗି ଯଥେଷ୍ଟ ସୁରକ୍ଷା ସହ ସବୁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ମହିଳାମାନଙ୍କୁ ଅନୁମତି ମିଳିବ।
ପୁରାତନ ଯାନବାହନ ଚଳାଚଳ ବନ୍ଦ ନିମନ୍ତେ ସ୍ୱେଚ୍ଛାଧୀନ ‘ସ୍କାପିଙ୍ଗ୍‌ ଯୋଜନା’ ଘୋଷଣା କରାଯାଇଛି।

ଉନ୍ନତ ଭିତ୍ତିଭୂମି ସୃଷ୍ଟିର ଶୁଭାରମ୍ଭ ଲାଗି ‘ଟେକ୍‌ଷ୍ଟାଇଲ୍‌ ପାର୍କ’ ଯୋଜନାରେ ବିପୁଳ ନିବେଶ କରାଯିବ।

ଆମ ସରକାର ଏକ ରାଷ୍ଟ୍ର, ଏକ ପଡ଼ି କାର୍ଡ ଯୋଜନାର ଶୁଭାରମ୍ଭ କରିଛି। ଯାହାଦ୍ୱାରା ଦେଶର ଯେକୌଣସି ସ୍ଥାନରେ ହିତାଧିକାରୀ ସେମାନଙ୍କ ରେସନ୍‌ ପାଇବାକୁ ହକ୍‌ଦାର ହେଉଛନ୍ତି। ବିଶେଷକରି, ପ୍ରବାସୀ ଶ୍ରମିକମାନେ ଏହି ଯୋଜନାରେ ଉପକାର ପାଇବେ। ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ପଡ଼ି କାର୍ଡ ଯୋଜନା କାର୍ଯ୍ୟକାରୀ ହୋଇଛି।

ଆଧୁନିକ ମତ୍ସ୍ୟ ବନ୍ଦର ଏବଂ ମତ୍ସ୍ୟ ଅବତରଣ କେନ୍ଦ୍ରର ବିକାଶ ନିମନ୍ତେ ଉଲ୍ଲେଖଯୋଗ୍ୟ ପରିମାଣର ବିନିଯୋଗ ପାଇଁ ପ୍ରସ୍ତାବ ଦିଆଯାଇଛି। କୋଚି, ଚେନ୍ନାଇ, ବିଶାଖାପାଟଣା, ପାରାଦୀପ ଏବଂ ପେଟୁଘାଟ ଭଳି ୫ଟି ପ୍ରମୁଖ ମତ୍ସ୍ୟ ବନ୍ଦରକୁ ଆର୍ଥିକ କାର୍ଯ୍ୟକଳାପର ନାଭିଚକ୍ର ଭାବେ ବିକଶିତ କରାଯିବ।

ବୀମା କମ୍ପାନିମାନଙ୍କ ‘ଏଫ୍‌ଡିଆଇ’ ସୀମାକୁ ୪୯%ରୁ ୭୪%କୁ ବୃଦ୍ଧି କରିବା ନିମନ୍ତେ ୧୯୩୮ ବୀମା ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି।

ଅପରିବର୍ତ୍ତିତ ହାରରେ ଶସ୍ୟ ଖରିଦ ଧାରା ଜାରି ରହିଛି। ଫଳରେ କୃଷକମାନଙ୍କର ପ୍ରାପ୍ୟ ମଧ୍ୟ ବୃଦ୍ଧି ପାଇଛି। ଗହମ ଲାଗି ୨୦୧୩-୧୪ରେ କୃଷକମାନଙ୍କୁ ୩୩,୮୭୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୯-୨୦ରେ ଏହାର ପରିମାଣ ଥିଲା ୬୨,୮୦୨ କୋଟି ଟଙ୍କା। ୨୦୨୦-୨୧ରେ ଏହାର ପରିମାଣ ଥିଲା ୭୫,୦୬୦ କୋଟି ଟଙ୍କା।

‘ଉଜ୍ଜ୍ୱଳା ଯୋଜନା’ରେ ଆହୁରି ୧ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ। ସହର ଗ୍ୟାସ୍‌ ବଣ୍ଟନ ନେଟ୍‌ଓ୍ଵାର୍କରେ ଆଗାମୀ ତିନି ବର୍ଷ ମଧ୍ୟରେ ଆଉ ୧୦୦ଟି ଜିଲ୍ଲା ଯୋଗ କରିବୁ। ଜମ୍ମୁ ଓ କଶ୍ମୀରରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ପ୍ରକଳ୍ପ ଆରମ୍ଭ ହେବ।

କୃଷକମାନଙ୍କ କଲ୍ୟାଣ ନିମନ୍ତେ ଆମ ସରକାର ପ୍ରତିବଦ୍ଧ। ସମସ୍ତ ସାମଗ୍ରୀର ଉତ୍ପାଦନ ମୂଲ୍ୟର ଅନ୍ୟୂନ ୧.୫ ଗୁଣ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ‘ସର୍ବନିମ୍ନ ବିକ୍ରୟ ମୂଲ୍ୟ’ ପରିବର୍ତ୍ତନ କରାଯାଇଛି।

୨୦୨୧-୨୨ରେ ଆମ ସରକାର ‘ଜୀବନ ବୀମା ନିଗମ’ର ‘ଆଇପିଓ’ ଆଣିବେ। ଏଥିନିମନ୍ତେ ଆବଶ୍ୟକ ସଂଶୋଧନ ଏହି ଅଧିବେଶସନରେ ଶେଷ ହୋଇଛି।

ରେଳବାଇ ନିମନ୍ତେ ରେକର୍ଡ ପରିମାଣର ଅର୍ଥ ୧,୧୦,୦୫୫ କୋଟି ଟଙ୍କା ଯୋଗାଇ ଦେଉଛି। ଏଥିରୁ ୧,୦୭,୧୦୦ କୋଟି ଟଙ୍କା ହେଉଛି କେବଳ ‘କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର୍‌’ ନିମନ୍ତେ।

ରେଳବାଇରେ ବିଗତ ୫ବର୍ଷରେ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଫଳପ୍ରଦ ହୋଇଛି। ଏହାକୁ ଆହୁରି ଫଳପ୍ରସୁ କରିବା ନିମନ୍ତେ ଉଚ୍ଚକ୍ଷମତା ସମ୍ପନ୍ନ ନେଟ୍‌ଓ୍ଵାର୍କ ଏବଂ ବହୁଳ ବ୍ୟବହୃତ ରେଳମାର୍ଗ ବ୍ୟବସ୍ଥା ହେବ। ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ସ୍ୱୟଂକ୍ରିୟ ରେଳ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହା ମାନବୀୟ ତ୍ରୁଟି ଯୋଗୁଁ ଘଟୁଥିବା ରେଳ ଦୁର୍ଘଟଣାର ଅବସାନ ଘଟାଇବ।

ନିମୋନିଆ ଟିକା ନିମନ୍ତେ (ସମ୍ପ୍ରତି ୫ଟି ରାଜ୍ୟରେ ସୀମିତ) ସମଗ୍ର ଦେଶରେ ଉପଲବ୍ଧ ହେବ। ଏହାଦ୍ୱାରା ବାର୍ଷିକ ୫୦ ହଜାର ଶିଶୁମୃତ୍ୟୁ ରୋକାଯାଇ ପାରିବ।

୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ନିମନ୍ତେ ଆମର ଉତ୍ପାଦନ କ୍ଷେତ୍ର ସ୍ଥିରତାର ସହ ଦୁଇ ଅଙ୍କ ହାରରେ ବୃଦ୍ଧି ପାଇବା ଆବଶ୍ୟକ। ଆମର ନିର୍ମାଣକାରୀ କମ୍ପାନିମାନେ ଆମ ବିଶ୍ୱ ଯୋଗାଣ ଶୃଙ୍ଖଳର ଅବିଚ୍ଛେଦ୍ୟ ଅଂଶ ହେବା ଆବଶ୍ୟକ।

୨୦୩୦ ଭାରତ ନିମନ୍ତେ ଭାରତୀୟ ରେଳବାଇ ଏକ ‘ଜାତୀୟ ରେଳ ଯୋଜନା’ ପ୍ରସ୍ତୁତ କରିଛି। ୨୦୨୩୦ ସୁଦ୍ଧା ରେଳବାଇ ବ୍ୟବସ୍ଥାର ଭବିଷ୍ୟତ-ପ୍ରସ୍ତୁତି ନିମନ୍ତେ ଏହି ଯୋଜନା ସୃଷ୍ଟି କରାଯାଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ‘ମେକ୍‌ ଇନ୍‌ ଇଣ୍ଡିଆ’ ଶିଳ୍ପ ପରିବହନ ବ୍ୟୟ ହ୍ରାସ କରିବା।

ଏ ବର୍ଷ (୨୦୨୧-୨୨) ଲାଗି କୋଭିଡ୍‌-୧୯ ଟିକା ନିମନ୍ତେ ୩୫୦୦୦ କୋଟି ଟଙ୍କା ଯୋଗାଇ ଦେଇଛି। ଆବଶ୍ୟକ ହେଲେ ଆହୁରି ଅର୍ଥ ଯୋଗାଇ ଦେବି ବୋଲି ପ୍ରତିଶ୍ରୁତି ଦେଇଛି।

୫.୩୫ ଲକ୍ଷ କୋଟି ଟଙ୍କାର ‘ଭାରତମାଳା ପ୍ରକଳ୍ପ’ରେ ୧୩୦୦୦ କିଲୋମିଟର୍‌ ଦୀର୍ଘ ରାସ୍ତା ନିର୍ମାଣ ପାଇଁ ୩.୩ କୋଟି ଟଙ୍କା ମଞ୍ଜୁର ହୋଇଛି। ସେଥିରୁ ୩,୮୦୦ କିଲୋମିଟର୍‌ ରାସ୍ତା ନିର୍ମାଣ ସରିଲାଣି। ମାର୍ଚ ୨୦୨୨ ସୁଦ୍ଧା ବାକି ୮,୫୦୦ କୋଟି ମଞ୍ଜୁର ହେବ ଏବଂ ଜାତୀୟ ରାଜପଥ କରିଡର୍‌ର ଅତିରିକ୍ତ ୧୧୦୦୦ କିଲୋମିଟର୍‌ ରାସ୍ତା ସମ୍ପୂର୍ଣ୍ଣ କରାଯିବ।

ଆଗାମୀ ୬ ବର୍ଷ ପାଇଁ ଚାଲିବାକୁ ଥିବା କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ନୂତନ ଯୋଜନା ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା’ ୬୪,୧୮୦ କୋଟି ଟଙ୍କା ବ୍ୟୟ ଅଟକଳରୁ ଆରମ୍ଭ ହେବ।

୨୦୨୧-୨୨ ନିମନ୍ତେ ‘କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର୍‌’ର ଦ୍ରୁତ ବୃଦ୍ଧି ନିମନ୍ତେ ପ୍ରସ୍ତାବ ଦେଉଛି। ତେଣୁ ୨୦୨୦-୨୧ ବର୍ଷ ଅପେକ୍ଷା ୫.୫୪ ଲକ୍ଷ କୋଟି ଟଙ୍କା ବା ୩୪.୫% ଅଧିକ ପୁଞ୍ଜି ଯୋଗାଇ ଦେଇଛୁ।

୨୦୨୧-୨୨ର ବଜେଟ୍‌ ପ୍ରସ୍ତାବ ଛଅଟି ସ୍ତମ୍ଭ ଉପରେ ଆଧାରିତ। ସେଗୁଡ଼ିକ ହେଉଛି- ସ୍ୱାସ୍ଥ୍ୟ ଓ ସ୍ୱଚ୍ଛନ୍ଦତା, ପ୍ରତ୍ୟକ୍ଷ ଏବଂ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି, ଆକାଂକ୍ଷୀ ଭାରତର ସାମଗ୍ରୀକ ବିକାଶ, ମାନବ ପୁଞ୍ଜିର ପୁନଃଉତ୍ଥାନ, ଉଦ୍‌ଭାବନ ଏବଂ ଗବେଷଣା ଓ ବିକାଶ, ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ।

ଦରିଦ୍ରରୁ ଦରିଦ୍ରତମଙ୍କ ଦରିଦ୍ରତମଙ୍କ ଲାଗି ସରକାର ତାଙ୍କର ସମ୍ବଳ ଉପଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ତିନି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ଏବଂ ପରବର୍ତ୍ତୀ ଘୋଷଣା ସବୁ ୫ଟି ମିନି ବଜେଟ୍‌ ଭଳି।

୨୦୨୦ରେ ଆମେ ସହ୍ୟ କରିଥିବା ଅସୁବିଧା ନୂତନ ଭୂତାଣୁଜନିତ କୋଭିଡ୍‌-୧୯ଜନିତ। ଆଜି ଭାରତରେ ଦୁଇଟି ଟିକା ଉପଲବ୍ଧ। ଦେଶ କେବଳ ନିଜ ନାଗରିକମାନଙ୍କ ସୁରକ୍ଷା ନୁହେଁ, ବିଶ୍ୱର ଶତାଧିକ ଦେଶର ଜନତାଙ୍କ ସୁରକ୍ଷା ଚାହୁଁଛି। ଖୁବ୍‌ ଶୀଘ୍ର ଆଉ ଦୁଇଟି ଟିକା ମଧ୍ୟ ବଜାରକୁ ଆସିବ।

ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ। ଆର୍ଥିକ ସୁଧାର ଜାରି ରଖିବା ନିମନ୍ତେ ସମୁଦାୟ ତିନୋଟି ପ୍ୟାକେଜ୍‌ ରହିବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍‌ ୨୭ ଲକ୍ଷ କୋଟି ଟଙ୍କା ବା ୧୫% ଡିଜିପି ଆକଳନ କରିଛି।

ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ରେ ବଜେଟ୍‌ ଅଭିଭାଷଣ ଆରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Image Courtesy of ANI

ବଜେଟ୍‌ ଅଭିଭାଷଣ ପୂର୍ବରୁ ସଂସଦରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା।

୨୦୨୧-୨୨ ବଜେଟ୍‌କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ। ଅଳ୍ପ ସମୟ ମଧ୍ୟରେ ଲୋକସଭାରେ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ।

ବଜେଟ୍‌ ଅନୁମୋଦନ ନିମନ୍ତେ ସଂସଦ ଭବନରେ ଆରମ୍ଭ ହୋଇଛି କ୍ୟାବିନେଟ୍‌ ବୈଠକ।

ଖୁବ୍‌ ଶୀଘ୍ର ସଂସଦ ଭବନରେ କ୍ୟାବିନେଟ୍‌ ବୈଠକ ବସିବ।

ବଜେଟ୍‌ ଉପସ୍ଥାପନ ଅବ୍ୟବହିତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଅର୍ଥମନ୍ତ୍ରାଳୟର ଟିମ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍‌ କରି ସଂସଦକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର