ନୂଆଦିଲ୍ଲୀ: ବିହାର ନିର୍ବାଚନରେ ବିଜୟ ପରେ ବିଜେପିର ଆଖି ଏବେ ପଶ୍ଚିମ ବଙ୍ଗ ଉପରେ। ଆସନ୍ତାବର୍ଷ ପଶ୍ଚିମ ବଙ୍ଗ ସମେତ ଆସାମ, ତାମିଲନାଡ଼ୁ ଏବଂ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହିସବୁ ରାଜ୍ୟରେ ବିଜୟ ହାସଲ କରିବା ଲାଗି ବିଜେପି ପକ୍ଷରୁ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତାମିଲନାଡ଼ୁରେ ଶାସକ ଆନ୍ନାଡିଏମକେ ଘୋଷଣା କରି ସାରିଛି ଯେ ଆସନ୍ତା ନିର୍ବାଚନରେ ମଧ୍ୟ ଏହା ବିଜେପି ସହ ମେଣ୍ଟ କରି ଲଢ଼ିବ। ଗତବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲେ। ଏହାସତ୍ତ୍ବେ ବିଧାନସଭା ନିର୍ବାଚନ ଏକାଠି ହୋଇ ଲଢ଼ିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଆସାମରେ ବିଜେପି ସରକାର ରହିଥିବା ବେଳେ କେରଳରେ ଏହା ନିଜର ଉପସ୍ଥିତିକୁ ଜାହିର କରିବା ଲାଗି ଉଦ୍ୟମ କରିବ। ତେବେ ବିଜେପି ପଶ୍ଚିମ ବଙ୍ଗକୁ ନିଜ ପାଇଁ ଇଜ୍ଜତର ପ୍ରଶ୍ନ କରିନେଇଛି। ଯାହାହେଲେ ମଧ୍ୟ ମମତା ବାନାର୍ଜୀଙ୍କ ଠାରୁ କ୍ଷମତା ଛଡ଼ାଇ ପଶ୍ଚିମ ବଙ୍ଗରେ ଶାସନ କରିବା ହେଉଛି ଏକମାତ୍ର ଲକ୍ଷ୍ୟ। ବିଜେପି ନେତମାନେ ଏଭଳି ସଙ୍କେତ ଦେଇ ସାରିଲେଣି। ଅନ୍ୟପକ୍ଷରେ ବିଜେପିକୁ ଅଟକାଇବା ଲାଗି ମମତାଙ୍କ ତୃଣମୂଳ କଂଗ୍ରେସ ଏବଂ ବାମମେଣ୍ଟ ମଧ୍ୟ ଭିତରେ ଭିତରେ ରଣନୀତି ପ୍ରସ୍ତୁତି ଚଳାଇଛନ୍ତି।
ମିଳିଥିବା ରିପୋର୍ଟ ଅନୁଯାୟୀ ମମତାଙ୍କ ପାର୍ଟିରେ ଅସନ୍ତୋଷ କୁହୁଳୁଥିବା ବେଳେ ଏଥିରୁ ଫାଇଦା ନେବାକୁ ଉଦ୍ୟମ ଚଳାଇଛି ବିଜେପି। ମମତାଙ୍କ ଦଳରେ ଫାଟ ସୃଷ୍ଟି କରି ଏହାର ନେତାମାନଙ୍କୁ ନିଜ ଆଡ଼କୁ ନେବାଲାଗି ଉଦ୍ୟମ ଚଳାଇଛି। ଗତକାଲି ବିଜେପି ନେତା ଅର୍ଜୁନ ସିଂହ କହିଛନ୍ତି ଯେ ଖୁବଶୀଘ୍ର ମମତାଙ୍କର ୫ ଜଣ ସାଂସଦ ତୃଣମୂଳ କଂଗ୍ରେସ ଛାଡ଼ିବେ। ସେମାନେ ବିଜେପିରେ ମିଶିବେ ବୋଲି ମଧ୍ୟ ସେ ଇଙ୍ଗିତ କରିଥିଲେ। ଏହି ନେତାମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତାଙ୍କର ଅତି ଘନିଷ୍ଠ କୁହାଯାଉଥିବା ସୌଗତ ରାୟ ଏବଂ ଶୁଭେନ୍ଦୁ ଅଧିକାରୀ। କିନ୍ତୁ ସୌଗତ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ମରିଯିବେ ପଛେ ବିଜେପିରେ ମିଶିବେ ନାହିଁ। ତେବେ ଅଧିକାରୀଙ୍କର ପ୍ରତିକ୍ରିୟା ଜଣାପଡ଼ି ନଥିଲେ ମଧ୍ୟ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ରାଜ୍ୟରେ ପରିବହନ ମନ୍ତ୍ରୀ ଥିବା ଅଧିକାରୀ କିଛି ଦିନ ତଳେ କହିଥିଲେ ଯେ ତୃଣମୂଳ କଂଗ୍ରେସ ଆଉ ମମତାଙ୍କ ନିୟନ୍ତ୍ରଣରେ ନାହିଁ। କେବଳ ସେ ନୁହେଁ ଆହୁରି ଅନେକ ଦଳୀୟ ନେତା ମଧ୍ୟ ଏଭଳି ମତ ରଖିଛନ୍ତି। ଏହାର ମୁଖ୍ୟ କାରଣ ରହିଛନ୍ତି ମମତାଙ୍କ ସାଂସଦ ପୁତୁରା ଅଭିଷେକ ବାନାର୍ଜୀ ଏବଂ ନିର୍ବାଚନ ରଣନୀତି ପ୍ରସ୍ତୁତକର୍ତା ପ୍ରଶାନ୍ତ କିଶୋର। ଦଳ ଏବେ ସେମାନଙ୍କ ଦ୍ବାରା ପରିଚାଳିତ ହେଉଛି ବୋଲି ଅସନ୍ତୁଷ୍ଟ ନେତାମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସର ନେତାମାନେ ଅଭିଯୋଗ କରିଛନ୍ତି ଯେ ବିଜେପି ପକ୍ଷରୁ ଗୁଜବ ପ୍ରଚାର କରାଯାଉଛି। ଦଳ ଭିତରେ ସେମିତି ବଡ଼ ଧରଣର ଅସନ୍ତୋଷ ନାହିଁ। ଦଳ ଏବେ ବି ମମତାଙ୍କ ନିୟନ୍ତ୍ରଣରେ ରହିଛି। ଆଗାମୀ ନିର୍ବାଚନରେ ଏହାର ପ୍ରମାଣ ମିଳିଯିବ। ରାଜ୍ୟରେ ଯେକୌଣସି ଉପାୟରେ କ୍ଷମତା ହାତେଇବା ଲାଗି ବିଜେପି ଉଦ୍ୟମ ଚଳାଇଛି ଏବଂ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି।
ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିକୁ ଦେଖି ତୃଣମୂଳ କଂଗ୍ରେସ ଏବଂ ବାମପନ୍ଥୀମାନେ ମଧ୍ୟ ଏହାର ମୁକାବିଲା ଲାଗି ଅଣ୍ଟା ଭିଡ଼ିଲେଣି। ପଡ଼ୋଶୀ ବିହାରରେ ବାମପନ୍ଥୀ ଦଳଙ୍କ ଉଲ୍ଳେଖନୀୟ ବିଜୟରେ ପଶ୍ଚିମ ବଙ୍ଗରେ ବାମ ନେତାମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି। ବିହାରରେ ୨୯ଟି ଆସନରେ ପ୍ରାର୍ଥୀ ଦେଇ ବାମପନ୍ଥୀମାନେ ୧୬ଟିରେ ବିଜୟୀ ହୋଇଛନ୍ତି। ରାଜ୍ୟରେ ୨୦୧୧ ପର୍ଯ୍ୟନ୍ତ ୩୪ ବର୍ଷ ଧରି ଶାସନ କରିଥିବା ବାମପନ୍ଥୀମାନେ ଏବେ ଅଲୋଡ଼ା ହୋଇପଡ଼ିଛନ୍ତି। ରାଜ୍ୟ ବିଧାନସଭାରେ ସିପିଏମର ମାତ୍ର ୨୬ ଜଣ ବିଧାୟକ ରହିଛନ୍ତି, ଯାହାକି ନୈରାଶ୍ୟଜନକ। ତେବେ ବିହାର ସଫଳତାରେ ଉତ୍ସାହିତ ବାମପନ୍ଥୀ ନୂଆ ରଣନୀତି ସହ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି ଏହାର ନେତାମାନେ କହୁଛନ୍ତି। ରାଜ୍ୟରେ କଂଗ୍ରେସ ଅବସ୍ଥା ଖରାପ ଥିବା ବେଳେ ଏବେ ବିଜେପିକୁ ତୃଣମୂଳ କଂଗ୍ରେସ ସହିତ ସିପିଏମର ମଧ୍ୟ ମୁକାବିଲା କରିବାକୁ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bjp-west-bengal.jpg)