ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କର ଅଚାନକ ମୃତ୍ୟୁ ପରେ ସଡ଼କ ସୁରକ୍ଷା ଦିଗରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ଆଖି ଖୋଲି ଯାଇଛି। ମିସ୍ତ୍ରୀଙ୍କର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଯେ ମିସ୍ତ୍ରୀ ଦୁର୍ଘଟଣା ସମୟରେ ସିଟ୍ ବେଲ୍ଟ ପିନ୍ଧିନଥିଲେ। ଏହି ଘଟଣା ପରଠାରୁ ସଡ଼କ ସୁରକ୍ଷା ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ୨୦୨୧ରେ ଦେଶରେ ପ୍ରାଣ ହରାଇଥିବା କାର୍ ଯାତ୍ରୀଙ୍କ ମଧ୍ୟରୁ ୮୩ ପ୍ରତିଶତ ସିଟ୍ ବେଲ୍ଟ ପିନ୍ଧିନଥିଲେ। ସିଟ୍ ବେଲ୍ଟ ନପିନ୍ଧିଥିବା ଯୋଗୁଁ ପ୍ରତି ୧୦ ଜଣରେ ୮ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେହିପରି ୬୭ ପ୍ରତିଶତ ଲୋକ ହେଲମେଟ ନପିନ୍ଧିଥିବା ଯୋଗୁଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦେଶରେ ପ୍ରାଣ ହରାଇଥିବା ପ୍ରତି ୩ ଜଣ ୨ ଚକିଆ ଯାନ ଚାଳକଙ୍କ ମଧ୍ୟରୁ ୨ ଜଣଙ୍କର ହେଲମେଟ ପିନ୍ଧିନଥିବା କାରଣ ପାଇଁ ମୃତ୍ୟୁ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ତଥ୍ୟ ଅନୁଯାୟୀ ସିଟ୍ ବେଲ୍ଡ ବ୍ୟବହାର ଦ୍ବାରା ମୃତ୍ୟୁ ଏବଂ ଆହତ ହେବା ଅଧା କମିଯିବ। ହୁ ଅନୁଯାୟୀ ଯଦି ଦୁଇ ଚକିଆ ଯାନ ଚାଳକ ସମ୍ପୂର୍ଣ୍ଣ ମୁହଁ ଢାଙ୍କି ହେଉଥିବା ହେଲମେଟ୍ ପିନ୍ଧିବେ ତେବେ ଦୁର୍ଘଟଣା ଯୋଗୁଁ ଅତି ଗୁରୁତର ଆହତ ହେବା ୬୪ ପ୍ରତିଶତ କମିଯିବ ଏବଂ ମସ୍କିଷ୍କରେ ଆଘାତ ଲାଗିବା ଭଳି ବିପଦ ମଧ୍ୟ ୭୪ ପ୍ରତିଶତ କମିଯିବ।
‘ରୋଡ୍ ଆକ୍ସିଡେଣ୍ଟ୍ସ ଇନ ଇଣ୍ଡିଆ ୨୦୨୧’ ରିପୋର୍ଟ ଅନୁଯାୟୀ ୨୦୨୧ରେ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୋଟ୍ ୧୯,୮୧୧ ଜଣଙ୍କ ମଧ୍ୟରୁ ୧୬,୩୯୭ ଜଣଙ୍କର ସିଟ୍ ବେଲ୍ଟ ପିନ୍ଧିନଥିବା ଯୋଗୁଁ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରୁ ୮,୪୩୮ ଜଣ ଡ୍ରାଇଭର ଥିବାବେଳେ ୭,୯୬୫ ଜଣ ଜଣ ହେଉଛନ୍ତି ଯାତ୍ରୀ। ଉତ୍ତରପ୍ରଦେଶରେ ସର୍ବାଧିକ ୩,୮୬୩ ଜଣଙ୍କର ସିଟ୍ ବେଲ୍ଟ ପିନ୍ଧିନଥିବା କାରଣ ପାଇଁ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ପଛକୁ ମଧ୍ୟପ୍ରଦେଶରେ ୧୭୩୭ ଏବଂ ରାଜସ୍ଥାନରେ ୧୩୭୦ ଜଣଙ୍କର ସିଟ୍ ବେଲ୍ଟ ପିନ୍ଧିନଥିବା କାରଣ ପାଇଁ ମୃତ୍ୟୁ ହୋଇଛି। ଦୁଇ ଚକିଆ ଯାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୋଟ୍ ୬୯,୩୮୫ ଜଣଙ୍କ ମଧ୍ୟରୁ ପ୍ରାୟ ୪୭,୦୦୦ ଲୋକଙ୍କର ହେଲମେଟ୍ ପିନ୍ଧିନଥିବା କାରଣ ପାଇଁ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୬,୪୪୫ ଦୁଇ ଚକିଆ ଯାନ ଚାଳକଙ୍କ ହେଲମେଟ ପିନ୍ଧିନଥିବା କାରଣ ପାଇଁ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡ଼ୁରେ ୫,୮୮୮ ଏବଂ ମହାରାଷ୍ଟ୍ରରେ ୪,୯୬୬ ଜଣଙ୍କର ହେଲମେଟ ପିନ୍ଧିନଥିବା କାରଣ ପାଇଁ ମୃତ୍ୟୁ ହୋଇଛି।