ନୂଆଦିଲ୍ଲୀ: ପରିବେଶ ସଂକ୍ରାନ୍ତ ଏକ ଅଗ୍ରଣୀ ସର୍ଭେ ସଂସ୍ଥାର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୩ରେ ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ବିପ୍ଳବର ହାରାହାରିଠାରୁ ଅତି କମ୍‌ରେ ୧.୫ ଡିଗ୍ରି ସେଲସିୟସ ଅଧିକ ରହିବ - ଯାହା ଫଳରେ ମାପ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଉଷ୍ମ ବର୍ଷ ହେବ। କାଲିଫର୍ଣ୍ଣିଆସ୍ଥିତ ବର୍କଲେ ଆର୍ଥ ଏହାର ନଭେମ୍ବର ୨୦୨୩ ତାପମାତ୍ରା ଅପଡେଟ୍‌ରେ କହିଛି ଯେ ୨୦୨୩ ସବୁଠାରୁ ଉଷ୍ମ ବର୍ଷ ହେବାର ୯୯% ସମ୍ଭାବନା ଅଛି। ଏହି ପୂର୍ବାନୁମାନ ବର୍ଷ ଆରମ୍ଭର ପୂର୍ବାନୁମାନଠାରୁ ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଉଛି।

Advertisment

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସାମ୍ପ୍ରତିକ ମାସଗୁଡ଼ିକର ଆଶ୍ଚର୍ଯ୍ୟଜନକ ଉଷ୍ମତା ଏବଂ ଶକ୍ତିଶାଳୀ ଏଲ୍ ନିନୋ ପ୍ରଭାବ, ୨୦୨୩ର ବାର୍ଷିକ ହାରାହାରି ପାଇଁ ଆକଳନକୁ ବୃଦ୍ଧି କରିଛି। ବର୍ତ୍ତମାନ ଅନୁମାନ କରାଯାଉଛି ଯେ ୨୦୨୩ରେ ବାର୍ଷିକ ହାରାହାରି ତାପମାତ୍ରା ୧୮୫୦-୧୯୦୦ର ହାରାହାରିଠାରୁ ୧.୫ ଡିଗ୍ରି ସେଲସିୟସରୁ ଅଧିକ ହେବାର ୯୯% ସମ୍ଭାବନା ରହିଛି। କିଛି ଦିନ ତଳେ ଆମେରିକାର ନ୍ୟାସନାଲ ଓସେନିକ୍ ଆଣ୍ଡ୍ ଆଟ୍‌ମସ୍‌ଫିୟରିକ ଆଡ୍‌ମିନିଷ୍ଟ୍ରେସନ୍ ସମାନ ପୂର୍ବାନୁମାନ କରି କହିଥିଲା ଯେ ଜୁନ୍ ମାସରୁ ରେକର୍ଡ ତାପମାତ୍ରା ଯୋଗୁଁ ନଭେମ୍ବରର ରେକର୍ଡ ତାପମାତ୍ରା ୨୦୨୩କୁ ସବୁଠାରୁ ଉଷ୍ମ ବର୍ଷରେ ପରିଣତ କରିଛି ଏବଂ ଅତୀତର ସମସ୍ତ ବାର୍ଷିକ ତାପମାତ୍ରା ରେକର୍ଡ ଭାଙ୍ଗିବାର ସମ୍ଭାବନା ୯୯%ରୁ ଅଧିକ ରହିଛି।
ପ୍ୟାରିସ ଚୁକ୍ତି ଅନୁଯାୟୀ ବାର୍ଷିକ ହାରାହାରି ତାପମାତ୍ରାକୁ ୧.୫ ଡିଗ୍ରି ଭିତରେ ସୀମିତ

ରଖିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ବର୍ତ୍ତମାନ ଏହି ସୀମା ଉଲ୍ଲଂଘନର ଅର୍ଥ ନୁହେଁ ଯେ ଲକ୍ଷ୍ୟ ଅତିକ୍ରମ ହୋଇଛି। କିନ୍ତୁ ଚଳିତ ବର୍ଷର ଉଲ୍ଲଂଘନ ଦୃଷ୍ଟିରୁ ଏହା ନିଶ୍ଚିତ ଯେ ନିର୍ଗମନ ହ୍ରାସ କରି ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ କ୍ରମଶଃ ସରିଯାଉଛି। ବାର୍କଲେ ଆର୍ଥ ବିବୃତିରେ କୁହାଯାଇଛି ଯେ ଯଦି ମାନବଜନିତ ସବୁଜଗୃହ ବାଷ୍ପ ନିର୍ଗମନରେ ଦ୍ରୁତ ହ୍ରାସ ନ ହୁଏ, ତେବେ ୨୦୩୦ ଦଶକରେ ଦୀର୍ଘକାଳୀନ ହାରାହାରି ୧.୫ ଡିଗ୍ରି ସେଲସିୟସ୍ ସୀମା ଅତିକ୍ରମ କରିବାର ସମ୍ଭାବନା ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ଦେଖାଯାଇଥିବା ଏଲ୍ ନିନୋ ଆଗାମୀ ବର୍ଷରେ ବିଶ୍ୱର ହାରାହାରି ତାପମାତ୍ରା ଉପରେ ଆହୁରି ବଡ଼ ପ୍ରଭାବ ପକାଇପାରେ। ସାଧାରଣତଃ ଏଲ୍ ନିନୋର ଦ୍ବିତୀୟ ବର୍ଷ ପ୍ରଥମ ବର୍ଷ ତୁଳନାରେ ଅଧିକ ଗରମ ହୋଇଥାଏ।