ନୂଆଦିଲ୍ଲୀ: ଏକ ମାମଲାର ଅନନ୍ୟ ପରିସ୍ଥିତିକୁ ଦର୍ଶାଇ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି ଯେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍‌ସୋ) ଅଧୀନରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ କୌଣସି ଦଣ୍ଡାଦେଶ ଦିଆଯିବ ନାହିଁ। ଜଷ୍ଟିସ୍‌ ଅଭୟ ଏସ୍ ଓକା ଓ ଜଷ୍ଟିସ୍‌ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଅଦାଲତର କ୍ଷମତା ବଳରେ ଏହି ନିଷ୍ପତ୍ତି ନେଇଛନ୍ତି। ଅପରାଧ ସମୟରେ ୨୪ ବର୍ଷୀୟ ଏହି ବ୍ୟକ୍ତି ଜଣକ ଜଣେ ନାବାଳିକାଙ୍କ ସହ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ସେ ସାବାଳିକା ହେବା ପରେ ତାଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ଏବେ ନିଜ ପିଲାଙ୍କ ସହ ଏକାଠି ରହୁଛନ୍ତି।

Advertisment

ପୀଡ଼ିତାଙ୍କ ସାମ୍ପ୍ରତିକ ପରିସ୍ଥିତି ଓ ଭାବନାତ୍ମକ ସୁସ୍ଥତା ଯାଞ୍ଚ କରିବା ପାଇଁ ଜଣେ କ୍ଲିନିକାଲ୍‌ ସାଇକୋଲୋଜିଷ୍ଟ ଓ ଜଣେ ସାମାଜିକ ବୈଜ୍ଞାନିକଙ୍କ ସମେତ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରାଯାଇଥିଲା। କୋର୍ଟଙ୍କ ଚୂଡ଼ାନ୍ତ ରାୟରେ ସେମାନଙ୍କ ଅନୁସନ୍ଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ପୀଡ଼ିତା ଏବେ ବୟସ୍କ ହୋଇଥିବା ବେଳେ ସେ ଏହି ଘଟଣାକୁ ଅପରାଧ ଭାବେ ଦେଖୁନାହାନ୍ତି। ଏହି ଘଟଣାକୁ ଆଇନରେ ଅପରାଧ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ପୀଡ଼ିତା ଏହାକୁ ଗ୍ରହଣ କରି ନ ଥିଲେ। ଫଳରେ ତାଙ୍କୁ ପୁଲିସ, ଆଇନ ବ୍ୟବସ୍ଥା ଓ ଅଭିଯୁକ୍ତଙ୍କୁ ଦଣ୍ଡରୁ ବଞ୍ଚାଇବା ପାଇଁ ନିରନ୍ତର ଲଢ଼େଇର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଭିଯୁକ୍ତଙ୍କ ପ୍ରତି ପୀଡ଼ିତାଙ୍କ ଭାବନାତ୍ମକ ଆକର୍ଷଣ ଏବଂ ସେମାନଙ୍କର ବର୍ତ୍ତମାନର ପାରିବାରିକ ଜୀବନ ସମେତ ଅସାଧାରଣ ପରିସ୍ଥିତିରେ ସମ୍ପୂର୍ଣ୍ଣ ନ୍ୟାୟ କରିବା ପାଇଁ ଧାରା ୧୪୨ ଅନୁଯାୟୀ କ୍ଷମତା କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

‘ପୀଡ଼ିତା ଘଟଣାକୁ ଅପରାଧ ଭାବେ ଦେଖୁନଥିଲେ’

୨୦୨୩ରେ କୋଲକାତା ହାଇକୋର୍ଟ ଏହି ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଥିବା ବେଳେ ରାୟରେ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲା। ନାବାଳିକା ଓ ତାଙ୍କ ନୈତିକ ଦାୟିତ୍ବକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ହାଇକୋର୍ଟ ଅଭିଯୁକ୍ତଙ୍କ ୨୦ ବର୍ଷର ଜେଲ ଦଣ୍ଡାଦେଶକୁ ରଦ୍ଦ କରିଥିଲେ। ଜଣେ ନାବାଳିକା ନିଜର ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ବୋଲି ହାଇକୋର୍ଟ କହିଥିଲେ। ଏହି ମନ୍ତବ୍ୟକୁ ନେଇ ବ୍ୟାପକ ସମାଲୋଚନା ହୋଇଥିଲା। ସୁପ୍ରିମ୍‌କୋର୍ଟ କେବଳ ଦୋଷମୁକ୍ତ ମାମଲାର ସମୀକ୍ଷା କରିବା ପାଇଁ ନୁହେଁ, ବରଂ ହାଇକୋର୍ଟଙ୍କ ମନ୍ତବ୍ୟର ସମାଧାନ ପାଇଁ ମଧ୍ୟ ଏହି ମାମଲାକୁ ଗୁରୁତ୍ୱ ଦେଇଛନ୍ତି। ଅଗଷ୍ଟ ୨୦, ୨୦୨୪ରେ ସୁପ୍ରିମ୍‌କୋର୍ଟ କଲିକତା ହାଇକୋର୍ଟଙ୍କ ରାୟକୁ ରଦ୍ଦ କରି ଉକ୍ତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ କୋର୍ଟ ତୁରନ୍ତ ଦଣ୍ଡାଦେଶ ଶୁଣାଇ ନ ଥିଲେ। ଏହା ବଦଳରେ ପୀଡ଼ିତାଙ୍କ ସାମ୍ପ୍ରତିକ ସ୍ଥିତି ଓ ମାମଲା ସମ୍ପର୍କରେ ତାଙ୍କ ମତାମତର ମୂଲ୍ୟାଙ୍କନ କରିବାକୁ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଟିର ରିପୋର୍ଟକୁ ଏକ ସିଲ୍‌ ଲଫାପାରେ ଦାଖଲ କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲ ୩ ତାରିଖରେ ତଦନ୍ତର ସମୀକ୍ଷା କରିବା ପରେ ଏବଂ ପୀଡ଼ିତାଙ୍କ ସହ କଥାବାର୍ତ୍ତା କରିବା ପରେ ସୁପ୍ରିମ୍‌କୋର୍ଟ କହିଥିଲେ ଯେ ତାଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ସେ ଦଶମ ବୋର୍ଡ ପରୀକ୍ଷା ସମାପ୍ତ କରିବା ପରେ ଧନ୍ଦାମୂଳକ ତାଲିମ ବା ପାର୍ଟ ଟାଇମ୍ ନିଯୁକ୍ତି ଉପରେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି।