ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ବିରୋଧୀ ମେଣ୍ଟର ବୈଠକ ଶେଷ ହେବାପରେ ଆଜି ଦିଲ୍ଲୀରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ଶକ୍ତି ପ୍ରଦର୍ଶନ କରିଛି। ଆଜି ସନ୍ଧ୍ୟାରେ ୩୮ଟି ଦଳ ଏନ୍ଡିଏ ବୈଠକରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଣ୍ଟ ସହଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି, ଦେଶବ୍ୟାପୀ ଏନ୍ଡିଏ ସହଯୋଗୀମାନେ ଆଜି ଗୋଟିଏ ବୈଠକରେ ଏକାଠି ହେବା ଆନନ୍ଦର ବିଷୟ। ଆମର ହେଉଛି ଏକ ସମୟ ପରୀକ୍ଷିତ ମେଣ୍ଟ ଯାହା ରାଷ୍ଟ୍ରୀୟ ପ୍ରଗତିକୁ ଆଗକୁ ବଢ଼ାଇବାପାଇଁ ଏବଂ ଆଞ୍ଚଳିକ ଆକାଂକ୍ଷାକୁ ପୂରା କରିବାକୁ ଚାହେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଆଜି କଂଗ୍ରେସକୁ କଡ଼ା ପ୍ରହାର କରିଛନ୍ତି। କଂଗ୍ରେସ ନକରାତ୍ମକ ଚିନ୍ତାଧାରା ନେଇ ମେଣ୍ଟ ଗଠନ କରୁଛି ଏବଂ ଏହା କଦାପି ସଫଳ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କଂଗ୍ରେସ ୯୦ ଦଶକରେ ଦେଶକୁ ଅସ୍ଥିର କରିବା ପାଇଁ ମେଣ୍ଟକୁ ବ୍ୟବହାର କରୁଥିଲା। ସରକାରକୁ ଭାଙ୍ଗି ଦେଶକୁ ଅସ୍ଥିର କରିବାରେ କଂଗ୍ରେସ ମେଣ୍ଟ ନିୟୋଜିତ ହେଉଥିବା ବେଳେ ଦେଶରେ ସ୍ଥିରତା ପାଇଁ ୧୯୯୮ରେ ଏନ୍ଡିଏ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ) ଗଠନ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନ୍ଡିଏର ୩ଟି ଅକ୍ଷରର ନୂଆ ଅର୍ଥ ବ୍ୟାଖ୍ୟା କରି ମୋଦୀ କହିଛନ୍ତି ଏଠାରେ ‘ଏନ୍’ ଅର୍ଥ ହେଉଛି ନ୍ୟୁ ଇଣ୍ଡିଆ (ନୂଆ ଭାରତ), ‘ଡି’ ଅର୍ଥ ହେଉଛି ଡେଭ୍ଲପଡ ନେସନ୍ (ବିକଶିତ ରାଷ୍ଟ୍ର) ଏବଂ ‘ଏ’ ଅର୍ଥ ଏସ୍ପିରେସନ ଅଫ୍ ଦି ପିପୁଲ(ଲୋକଙ୍କ ଆକାଂକ୍ଷା)। ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ସଂକଳ୍ପ ସକରାତ୍ମକ, ଏଜେଣ୍ଡା ଓ ପନ୍ଥା ମଧ୍ୟ ସକରାତ୍ମକ।
ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ସମୟରେ ଏନ୍ଡିଏ ମେଣ୍ଟର ଏହା ପ୍ରଥମ ବୈଠକ। ବିଜେପି ସମେତ ୩୮ଟି ଦଳର ନେତାମାନେ ୨୦୨୪ ନିର୍ବାଚନ ପାଇଁ ରଣନୀତି ସଂକ୍ରାନ୍ତ ଆଲୋଚନା କରିଛନ୍ତି। ବିଜେପି ନେତୃତ୍ବରେ ହୋଇଥିବା ଏନ୍ଡିଏ ବୈଠକରେ ସାମିଲ ହୋଇଥିବା ପ୍ରମୁଖ ଦଳମାନେ ହେଲେ ଶିବସେନା (ସିନ୍ଦେ ଗୋଷ୍ଠୀ), ଏନ୍ସିପି (ଅଜିତ ପାୱାର ଗୋଷ୍ଠୀ), ଏଲ୍ଜେପି, ଏଆଇଏଡିଏମ୍କେ, ଏନ୍ପିପି, ଅପ୍ନା ଦଲ, ଏଜେଏସ୍ୟୁ, ଏସ୍କେଏମ୍, ଏମ୍ଏନ୍ଏଫ୍, ଇଣ୍ଡିଜିନିୟସ ପିପୁଲ୍ସ ଫ୍ରଣ୍ଟ୍ ଅଫ୍ ତ୍ରିପୁରା, ନାଗା ପିପୁଲ୍ସ ଫ୍ରଣ୍ଟ, ଆର୍ପିଆଇ, ଆସାମ ଗଣ ପରିଷଦ, ତାମିଲ ମାନିଲା କଂଗ୍ରେସ, ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଜନନାୟକ ଜନତା ପାର୍ଟି, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି, ନିଷାଦ ପାର୍ଟି, ହିନ୍ଦୁସ୍ତାନୀ ଆୱାମ ପାର୍ଟି (ଏଚ୍ଏଏମ୍) ଓ ଜନ ସେନା ପାର୍ଟି।