ନୂଆଦିଲ୍ଲୀ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି (ଶନିବାର) କାର୍ଯ୍ୟସୂଚୀ ଘୋଷଣା କରାଯିବ। ଆଜି ନିର୍ବାଚନ କମିସନ (ଇସି) ଏକ୍ସରେ ଏ ସଂକ୍ରାନ୍ତ ସୂଚନା ଦେଇ କହିଛନ୍ତି ଯେ ଶନିବାର ଅପରାହ୍ଣ ୩ଟାରେ କମିସନ ଏକ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ। ନିର୍ବାଚନ କମିସନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସାମ୍ବାଦିକ ସମ୍ମିଳନୀର ସିଧାପ୍ରସାରଣ ହେବ। ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ଜୁନ୍ ୧୬ରେ ଶେଷ ହେବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ଜୁନ୍ ୧୧, ଜୁନ୍ ୨, ଜୁନ୍ ୨୪ ଓ ଜୁନ୍ ୨ରେ ଶେଷ ହେବ। ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମିଳିତ ହୋଇଥିଲେ। ଏହାପରେ ନିର୍ବାଚନ କମିସନ ଆସନ୍ତାକାଲି ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀ ସଂପର୍କରେ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଗତକାଲି ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ରାଷ୍ଟ୍ରପତି ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଥିଲେ।
ଗତ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ ୨୦୧୯ ମାର୍ଚ୍ଚ ୧୦ତାରିଖରେ କାର୍ଯ୍ୟସୂଚୀ ଘୋଷଣା କରିଥିଲେ, ଯେଉଁଥିରେ ଏପ୍ରିଲ ୧୧ରୁ ମେ ୧୯ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ମେ ୨୩ତାରିଖରେ ଭୋଟ୍ ଗଣତି ହୋଇଥିଲା। ଏଥର ମଧ୍ୟ ୭/୮ଟି ପର୍ଯ୍ୟାୟରେ ନିର୍ବାଚନ ହେବା ଅନୁମାନ କରାଯାଉଛି । କିଛିଦିନ ତଳେ ନିର୍ବାଚନ କମିସନ ବୟସ୍କ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ୍ରେ ଭୋଟ୍ ଦେବା ପାଇଁ ନିର୍ବାଚନ ନିୟମରେ ପରିବର୍ତ୍ତନ କରିଥିଲେ। ଏଣିକି କେବଳ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ପୋଷ୍ଟାଲ ବାଲଟରେ ଭୋଟ ଦେଇପାରିବେ। ବର୍ତ୍ତମାନ ସୁଦ୍ଧା ୮୦ ବର୍ଷରୁ ଅଧିକ ବୟସର ଲୋକମାନେ ଏହି ସୁବିଧା ପାଇବାକୁ ଯୋଗ୍ୟ ଥିଲେ । ଆଇନ ମନ୍ତ୍ରଣାଳୟ ଏକ ଗେଜେଟ୍ ବିଜ୍ଞପ୍ତିରେ କହିଛି ଯେ ୮୫ ବର୍ଷ ବୟସ ଅତିକ୍ରମ କରିଥିବା ଭୋଟରମାନଙ୍କୁ ଏହି ସୁବିଧା ପ୍ରଦାନ କରିବା ପାଇଁ ନିର୍ବାଚନ ପରିଚାଳନା ନିୟମ ୧୯୬୧ରେ ସଂଶୋଧନ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନରେ ୨ କୋଟି ନୂଆ ଭୋଟର ଭୋଟ୍ ଦେଇପାରିବେ। ଫେବ୍ରୁଆରି ୮ ତାରିଖରେ ନିର୍ବାଚନ କମିସନ ସମସ୍ତ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କୁ ନେଇ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ରିପୋର୍ଟ ଜାରି କରିଥିଲେ। ୧୮ରୁ ୨୯ ବର୍ଷ ମଧ୍ୟରେ ୨ କୋଟି ନୂଆ ଭୋଟରଙ୍କୁ ଭୋଟିଂ ତାଲିକାରେ ସାମିଲ କରାଯାଇଛି ବୋଲି କମିସନ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟାରେ ୬% ବୃଦ୍ଧି ଘଟିଛି। ନିର୍ବାଚନ କମିସନ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ୯୬.୮୮ କୋଟି ଭୋଟର ପଞ୍ଜୀକୃତ ହୋଇଛନ୍ତି, ଯାହା କି ବିଶ୍ୱରେ ସର୍ବାଧିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/sfhsfshfshsh.jpg)