ନୂଆଦିଲ୍ଲୀ : ୨୦୨୪ ମସିହାରେ ଦେଶରେ ଲୋକସଭା ନିର୍ବାଚନ ହେବ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଦେଶରେ ଜିତିବା ପାଇଁ କଷ୍ଟସାଧ୍ୟ ଲୋକସଭା ଆସନ ସଂଖ୍ୟା ୧୪୪ ବୋଲି ପୂର୍ବରୁ ବିଜେପି ଚିହ୍ନଟ କରିଥିଲା। କିନ୍ତୁ ଏବେ ଉକ୍ତ ଆସନ ସଂଖ୍ୟା ୧୬୦କୁ ବଢ଼ାଇ ଦିଆଯାଇଛି। ଏହି ଅତିରିକ୍ତ ୧୬ଟି ଯାକ ଲୋକସଭା ନିର୍ବାଚନମଣ୍ଡଳୀ ବିହାର ଏବଂ ମହାରାଷ୍ଟ୍ରର।
ଏହି ଦୁଇ ରାଜ୍ୟରେ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ ପରିପ୍ରେକ୍ଷୀରେ ବିଜେପି ଏଭଳି ନିଷ୍ପତ୍ତି ନେଇଛି।
୧୦୦ ଲୋକସଭା ଆସନ ପାଇଁ ପାଟନାଠାରେ ଆଜିଠାରୁ ବିଜେପିର ବିସ୍ତାରକ ବା ପୂର୍ଣ୍ଣକାଳୀନ କର୍ମୀମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିସ୍ତାରକମାନେ ନିର୍ବାଚନ ମଣ୍ଡଳୀରେ ରହି ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରନ୍ତି। ପ୍ରଥମେ ଦଳ ପକ୍ଷରୁ ଚିହ୍ନଟ ହୋଇଥିବା ୧୪୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିହାରର ୪ଟି ରହିଥିଲା। ସେଗୁଡ଼ିକ ହେଲା ନୱାଦା, ବୈଶାଳୀ, ବାଲ୍ମିକୀ ନଗର ଏବଂ କିଷାନଗଞ୍ଜ। କିନ୍ତୁ ଜେଡିୟୁ ବିଜେପି ହାତ ଛାଡ଼ି ମହାମେଣ୍ଟରେ ମିଶିବା ପରେ ଏହି ରାଜ୍ୟରେ ଆଉ ୬ଟି ଆସନକୁ କଷ୍ଟକର ଆସନ ଭାବେ ବିଚାରକୁ ନିଆଯାଇଛି। ସେଗୁଡ଼ିକ ହେଲା କଟିହାର, ସୁପାଉଲ, ମୁଙ୍ଗେର, ଝଞ୍ଝରପୁର, ଗୟା ଏବଂ ପୂର୍ଣ୍ଣିଆ। ବିଜେପି ଓ ଜେଡିୟୁ ଯଥାକ୍ରମେ ୧୭ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେଇଥିଲେ। ବିଜେପି ୧୭ଟି ଆସନରେ ଏବଂ ଜେଡିୟୁ ୧୬ଟି ଆସନରେ ଜିତିଥିଲା। କଂଗ୍ରେସ ଗୋଟିଏ ଆସନରେ ଏବଂ ବିଜେପିର ଅନ୍ୟତମ ସହଯୋଗ ଏଲଜେପି ୬ଟି ଆସନରେ ଜିତିଥିଲା।
ସେହିଭଳି ମହାରାଷ୍ଟ୍ରରେ ୨୦୨୪ ସାଧାରଣ ନିର୍ବାଚନ ମହା ବିକାଶ ଅଘାଡ଼ି ମେଣ୍ଟ ମିଳିତ ଭାବେ ଲଢ଼ିବା ନେଇ ଯୋଜନା କରୁଛି। ତେଣୁ ମହାରାଷ୍ଟ୍ରରେ ଜିତିବା ପାଇଁ କଷ୍ଟକର ଆସନ ସଂଖ୍ୟାରେ ଅଧିକ ୧୦ଟି ଆସନ ସାମିଲ କରାଯାଇଛି। ସୂଚନାଯୋଗ୍ୟ ୧୦୦ଟି ଲୋକସଭା ଆସନ ପାଇଁ ତାଲିମ କାର୍ଯ୍ୟକ୍ରମ ପାଟନାରେ ଆୟୋଜନ ହୋଇଥିବାବେଳେ ଆଉ ୬୦ଟି ଆସନ ପାଇଁ ତାଲିମ କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ।