ଡେରାଡୁନ: ମେ ୩ ତାରିଖରୁ ଆରମ୍ଭ ହୋଇଥିବା ‘ଚାର୍ ଧାମ ଯାତ୍ରା’ରେ ଏବେ ସୁଦ୍ଧା ୨୦୩ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟି ସାରିଲାଣି। ଉତ୍ତରାଖଣ୍ଡ ଜରୁରୀକାଳୀନ ଅପରେସନ ସେଣ୍ଟର ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଧିକାଂଶ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୃଦ୍ଘାତ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ପାଇଁ ହୋଇଥିବା ଜଣାପଡ଼ିଛି।
୨୦୩ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୯୭ ଜଣ ତୀର୍ଥଯାତ୍ରୀ କେଦାରନାଥ ଯାତ୍ରୀ ମାର୍ଗରେ, ୫୧ ଜଣ ବଦ୍ରିନାଥ ଧାମରେ, ୧୩ ଜଣ ଗଙ୍ଗୋତ୍ରିରେ ଏବଂ ୪୨ ଜଣ ଯମୁନୋତ୍ରିରେ ମୃତ୍ୟୁ ବରଣ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କର ଏପରି ମୃତ୍ୟୁ ଆୟୋଜକ ଏବଂ ପ୍ରଶାସନର ଚିନ୍ତାର କାରଣ ପାଲଟିଛି। ତୀର୍ଥଯାତ୍ରୀମାନଙ୍କୁ କେଦାରାନାଥ ଓ ଯମୁନାତ୍ରୀ ଧାମ ପାଇଁ ଏକ କଷ୍ଟ ମାର୍ଗ ଦେଇ ଯିବାକୁ ପଡୁଛି। ଏହି ଅଞ୍ଚଳ ଦେଇ ଚାଲିବା ସମୟରେ ଥଣ୍ଡା ହେତୁ ଅମ୍ଳଯାନ କମ୍ ରହିଥାଏ। ଯାହାକି ହାଇପୋକ୍ସିଆ, ହୃଦ୍ଘାତ, ଉଚ୍ଚ ରକ୍ତଚାପ, ଶ୍ବାସ ଆସି ସମସ୍ୟାର କାରଣ ହୋଇଥାଏ।