ନୂଆଦିଲ୍ଲୀ: ଗାଜାରେ ହମାସ୍‌ ସହ ଇସ୍ରାଏଲର ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଭାରତର ମଣିପୁର ଓ ମିଜୋରାମର ମୂଳ ନିବ‌ାସୀ କୁକି ସମ୍ପ୍ରଦାୟର ୨୦୬ ଜଣ ଲୋକ ହମାସ୍‌ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ଇସ୍ରାଏଲର ୩,୬୦,୦୦୦ ରିଜର୍ଭିଷ୍ଟ (ସଂରକ୍ଷିତ ସୈନ୍ୟ)ଙ୍କ ମଧ୍ୟରେ ଏହି କୁକିମାନେ ଅଛନ୍ତି। ଇସ୍ରାଏଲର ‘ଓପନ୍‌ ଡୋର୍‌ ପଲିସି’ ଅଧୀନରେ ଏହି କୁକିମାନେ ଭାରତରୁ ଯାଇ ଇସ୍ରାଏଲରେ ବସତି ସ୍ଥାପନ କରିଥିଲେ, ଯାହାଙ୍କୁ ଇସ୍ରାଏଲ ସେମାନଙ୍କ ‘ହଜିଲା ଇହୁଦୀ ଜାତି’ ଭାବେ ଚିହ୍ନଟ କରିଛି। ଏହି ଛୋଟିଆ ସମ୍ପ୍ରଦାୟର ଲୋକମାନେ ସିଧାସଳଖ ଅକ୍ଟୋବର ୭ ତାରିଖରେ ହୋଇଥିବା ହମାସ୍‌ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ସେମାନେ ଇସ୍ରାଏଲର ସେରଟ ସହରରେ ବାସ କରନ୍ତି, ଯାହା ଗାଜାର ନିକଟବର୍ତ୍ତୀ।

Advertisment

ହମାସ୍‌ ଆକ୍ରମଣରେ ଏହି ସହର ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ କୁକି ସମ୍ପ୍ରଦାୟର ଲୋକ ଏଥିରେ ମୃତାହତ ହୋଇଥିବାର ଖବର ମିଳିନାହିଁ। କିନ୍ତୁ ସେମାନଙ୍କ ଘରଗୁଡ଼ିକ ହମାସ୍‌ ଆକ୍ରମଣରେ ଜଳିଯାଇଛି। କୁକି ସମ୍ପ୍ରଦାୟକୁ ହିବ୍ରୁ ଭାଷାରେ ବନେଇ ମେନାଶେ କୁହାଯାଏ, ଯାହାର ଅର୍ଥ ମେନାଶେଙ୍କ ସନ୍ତାନ। ପେର ଶାଭି ଇସ୍ରାଏଲ ନାମକ ଏନ୍‌ଜିଓ କୁକିମାନଙ୍କୁ ଇହୁଦୀଙ୍କର ଏକ ହଜିଲା ଜାତି (ଲଷ୍ଟ ଟ୍ରାଇବ୍) ଭାବେ ଚିହ୍ନଟ କରି ଭାରତରୁ ଇସ୍ରାଏଲ ଫେରାଇ ନେବାରେ ସାହାଯ୍ୟ କରିଥିଲା। ମେନାଶେ ହେଉଛନ୍ତି ଇହୁଦୀମାନଙ୍କ ପ୍ରଥମ ଅବତାର ଜୋସେଫଙ୍କ ପୁତ୍ର। ଭାରତସ୍ଥିତ ବନେଇ ମେ‌ନାଶେ କାଉନସିଲର ଅଧ୍ୟକ୍ଷ ଲଲାମ ହାଙ୍ଗଶିଙ୍ଗଙ୍କ କହିବା ଅନୁସାରେ, ଭାରତରେ ଏହି ସମ୍ପ୍ରଦାୟର ପ୍ରାୟ ୫୦୦୦ ଲୋକ ଅଛନ୍ତି- ୪୦୦୦ ମଣିପୁରରେ ଓ ୧୦୦୦ ମିଜୋରାମରେ। ଏହି କୁକିମାନେ ପ୍ରାୟ ୩୦ ବର୍ଷର ଅବଧି ଭିତରେ ଭାରତରୁ ଯାଇ ଇସ୍ରାଏଲରେ ବସବାସ କରୁଛନ୍ତି। ଇସ୍ରାଏଲ ସେନାରେ କୁକି ସମ୍ପ୍ରଦାୟର ବହୁ ଲୋକ ସ୍ଥାୟୀ ସୈନିକ ଭାବେ କାମ କରୁଥିବା ବେଳେ ୨୦୬ ଜଣ ସଂରକ୍ଷିତ ସୈନ୍ୟ (ରିଜର୍ଭିଷ୍ଟ) ତାଲିକାରେ ଅଛନ୍ତି। ବର୍ତ୍ତମାନ ହମାସ୍‌ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ପରିପ୍ରେକ୍ଷୀରେ ସେମାନଙ୍କୁ ଯୁଦ୍ଧରେ ଭାଗ ନେବାକୁ ଡକାଯାଇଛି।