ଆର୍‌ଏସ୍‌ପି ପାଇଁ ଅଧିଗ୍ରହଣ ହୋଇଥିଲା ୨୦,୯୮୩ ଏକର ଜମି

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଦ୍ବାରା ରାଉରକେଲାରେ ସମନ୍ବିତ ଇସ୍ପାତ କାରଖାନା, ଟାଉନସିପ୍‌ ଓ ଅନ୍ୟ ସହାୟକ ବ୍ୟବସ୍ଥାର ନିର୍ମାଣ ତଥା ମନ୍ଦିରା ଡ୍ୟାମ ପ୍ରକଳ୍ପ ପାଇଁ ପ୍ରାୟ ୨୦୯୮୩.୯୯ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ରାଜ୍ୟ ସରକାର ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)କୁ ୧୯୫୫ ରୁ ୧୯୭୬ ମଧ୍ୟରେ ଏହାକୁ ହସ୍ତାନ୍ତର କରିଥିଲେ। ଆର୍‌ଏସ୍‌ପି ପାଖରେ ଜନଜାତି ଜମି ଅଧିଗ୍ରହଣ ସମ୍ପର୍କରେ ରେକର୍ଡ ନାହିଁ। ଯାହାକି ରାଜ୍ୟ ସରକାରଙ୍କ ଦ୍ବାରା ଅଧିଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ବାରା ୧୧୧୪୪.୪୪୫ ଏକର ସରକାରୀ ଜମି ଆର୍‌ଏସ୍‌ପିକୁ ଦିଆଯାଇଛି। ଆଜି ଲୋକସଭାରେ ବିଜେପି ସାଂସଦ ଜୁଏଲ ଓରାମଙ୍କ ଏକ ପ୍ରଶ୍ନ ଉପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସରୁତା।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଅଧିଗ୍ରହଣ କରାଯାଇଥିବା ଜମିର କ୍ଷତିପୂରଣ ବାବଦରେ ଓଡ଼ିଶା ସରକାରଙ୍କୁ ଏକ କୋଟି ୩୨ ଲକ୍ଷ ୪୮ ହଜାର ୨୧୭ ଟଙ୍କା ପୈଠ କରାଯାଇଛି। ଆର୍‌ଏସ୍‌ପି ନିକଟରେ କ୍ଷତିପୂରଣ ବାବଦରେ ଜନଜାତି ଲୋକଙ୍କ ସମେତ ଜମିମାଲିକଙ୍କୁ ପ୍ରଦାନ କରାଯାଇଥିବା ଅର୍ଥରାଶିର କୌଣସି ରେକର୍ଡ ନାହିଁ । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଜମି ବାହାରେ ଆରଏସ୍‌ପି ପ୍ରାୟ ୨୪.୨୩ ଏକର ଜମି ୧୬,୦୭୯ ଟଙ୍କା ବ୍ୟୟରେ କ୍ରୟ କରିଛି ବୋଲି ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର