ଆଜି କାର୍ଗିଲ୍‌ ଯୁଦ୍ଧର ବିଂଶତିତମ ବାର୍ଷିକୀ: ବୀର ସହିଦଙ୍କ ପ୍ରତି ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କାର୍ଗିଲ୍‌ ଯୁଦ୍ଧର ବିଂଶତିତମ ବାର୍ଷିକୀ ଅବସରରେ ଆଜି ସମଗ୍ର ଦେଶରେ ଅନେକ ଉତ୍ସବର ଆୟୋଜନ କରାଯାଉଛି। କାର୍ଗିଲ୍‌ ଜିଲ୍ଲାର ଡ୍ରାସ୍‌ ଠାରେ ଆୟୋଜନ କରାଯାଇଥିବା ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟପାଳ ସତ୍ୟପାଲ ମଲିକ, ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌, ବାୟୁସେନା ମୁଖ୍ୟ ବୀରେନ୍ଦର ସିଂହ ଧାନ୍‌ଓ୍ଵା, ନୌସେନା ମୁଖ୍ୟ କରମବୀର ସିଂହ ରାଷ୍ଟ୍ରପତିଙ୍କୁ ସେଠାରେ ସ୍ୱାଗତ କରିବେ।

ଜୁଲାଇ ୧୪ ତାରିଖ ଦିନ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ପ୍ରଜ୍ଜ୍ୱଳିତ କରିଥିବା ‘ବିଜୟ ଶିଖା’କୁ ସେନାମୁଖ୍ୟ ଶୁକ୍ରବାର ଦିନ ଡ୍ରାସ୍‌ରେ ଗ୍ରହଣ କରିବେ। ଏହାକୁ କାର୍ଗିଲ୍‌ ଯୁଦ୍ଧ ସ୍ମାରକୀ ଠାରେ ଥିବା ଚିରନ୍ତନ ଶିଖାରେ ମିଶାଇ ଦିଆଯିବ।

Image Source: Hindustan Times

କଶ୍ମୀରର କାର୍ଗିଲ୍‌ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖ ଏବଂ ଜୁଲାଇ ୨୬ ତାରିଖ ମଧ୍ୟରେ ହୋଇଥିବା କାର୍ଗିଲ୍‌ ଯୁଦ୍ଧ ହେଉଛି ଭାତର ଏବଂ ପଡ଼ୋଶୀ ଦେଶ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧଗୁଡ଼ିକ ମଧ୍ୟରେ ଅନ୍ୟତମ ପ୍ରମୁଖ ଯୁଦ୍ଧ। କାର୍ଗିଲ୍‌ ଯୁଦ୍ଧକୁ ଅପରେସନ୍‌ ବିଜୟ ମଧ୍ୟ କୁହାଯାଏ।

୧୯୯୯ ମସିହା ଜୁଲାଇ ୨୬ ତାରିଖ ଠାରୁ ଭାରତରେ ପ୍ରତି ବର୍ଷ ଅପରେସନ୍‌ ବିଜୟ ପାଳନ କରାଯାଉଛି। ୬୦ ଦିନ ବ୍ୟାପୀ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷରୁ ଅନେକ ଯବାନ ପ୍ରାଣ ହରାଇଥିଲେ। କାର୍ଗିଲ୍‌ ଯୁଦ୍ଧରେ ଦେଶ ପାଇଁ ସହିଦ ହୋଇଥିବା ୫୨୭ ଜଣ ଭାରତୀୟ ବୀର ଯବାନମାନଙ୍କ ସ୍ମରଣାର୍ଥେ ଜୁଲାଇ ୨୬ ତାରିଖ ଦିନ ଅପରେସନ୍‌ ବିଜୟ ଦିବସ ପାଳନ କରାଯାଉଛି। ସଶସ୍ତ୍ର ସେନାର ଅବଦାନକୁ ପାଳନ କରିବା ପାଇଁ ଉତ୍ତର ଭାରତର କାର୍ଗିଲ୍‌-ଡ୍ରାସ୍‌ ସେକ୍ଟର୍‌ ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ଆସାମ ଯାଏଁ ଉତ୍ସବ ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର