ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ବଢ଼ୁଛି। ଗତ ୨୪ ଘଣ୍ଟାରେ ଦେଶରେ ୨୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦିଲ୍ଲୀ, ପଂଜାବ ଏବଂ ରାଜସ୍ଥାନରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜରାଟ, ହରିୟାଣା, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ଗୋଟିଏ ଲେଖାଏ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବର ୬ଟି ମୃତ୍ୟୁକୁ ଏହାର ତଥ୍ୟରେ ଯୋଡ଼ିଛି। ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫,୩୧,୦୦୦ରେ ପହଞ୍ଚିଛି। ଆଜି ପୁଣି ୫,୬୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମଣ ୩୭ ହଜାର ଟପିଯାଇଛି। ଲଗାତାର ଦ୍ବିତୀୟ ଦିନରେ ଆଜି ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ କୋଭିଡ ମକଡ୍ରିଲ କରାଯାଇଛି। କରୋନା ମୁକାବିଲା ଦିଗରେ ହସ୍ପିଟାଲଗୁଡ଼ିକ କିଭଳି ପ୍ରସ୍ତୁତ ଅଛନ୍ତି ସେନେଇ ବାସ୍ତବ ସ୍ଥିତି ଆକଳନ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରଥମ ଦିନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦିଲ୍ଲୀର ଆରଏମଏଲ (ରାମ ମନୋହର ଲୋହିଆ) ହସ୍ପିଟାଲରେ କୋଭିଡ ମକଡ୍ରିଲ ସମୀକ୍ଷା କରିଥିଲେ।
ଅନ୍ୟପକ୍ଷେ ଦେଶରେ ଲଗାତାର ୯ ସପ୍ତାହ ଧରି ସଂକ୍ରମଣ ବଢ଼ୁଛି। ଦେଶରେ ଦୈନିକ ପଜିଟିଭ ହାର ୨.୮୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୩.୮୧ ପ୍ରତିଶତ ରହିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୮ ପ୍ରତିଶତ। ଗତ ସପ୍ତାହରେ କରୋନା ସଂକ୍ରମଣରେ ୭୯ ପ୍ରତିଶତ ବୃଦ୍ଧି ହୋଇଛି। ଗତ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ୩୬ ହଜାରରୁ ଅଧିକ ଥିଲା। ଅନ୍ୟପକ୍ଷେ ଚଳିତ ସପ୍ତାହରେ ସଂକ୍ରମଣ ୩୬,୨୫୦ ରହିଛି। ୭ ସପ୍ତାହରେ ଏହା ସର୍ବାଧିକ ସାପ୍ତାହିକ ସଂକ୍ରମଣ। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଗତ କିଛିଦିନ ଧରି ସଂକ୍ରମଣ ବଢ଼ୁଛି।
୨୪ ଘଣ୍ଟାରେ ୨୧ କରୋନା ମୃତ୍ୟୁ: ସାପ୍ତାହିକ ସଂକ୍ରମଣରେ ୭୯ ପ୍ରତିଶତ ବୃଦ୍ଧି
/sambad/media/post_attachments/wp-content/uploads/2021/10/corona-death.jpg)