ନୂଆଦିଲ୍ଲୀ : ଭାରତରେ ପାଖାପାଖି ୨୧ କୋଟିରୁ ଅଧିକ ସଂଖ୍ୟକ ଦୁଇ ଚକିଆ ଯାନ ଗଡ଼ୁଛି। ଏଥିସହିତ ୭ କୋଟି ଚାରି ଚକିଆ ଓ ତଦୂର୍ଦ୍ଧ୍ବ ଚକା ବିଶିଷ୍ଟ ଯାନ ଚଳାଚଳ କରୁଛି। ଆଜି ସଂସଦରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଦେଶରେ ଚଳାଚଳ କରୁଥିବା ମୋଟ ଯାନ ମଧ୍ୟରୁ ୫,୪୪,୬୪୩ଟି ହେଉଛି ବିଦ୍ୟୁତ୍ ଚାଳିତ ଦୁଇ ଚକିଆ ଯାନ ଏବଂ ୫୪୨୫୨ଟି ବିଦ୍ୟୁତ ଚାଳିତ ଚାରି ଚକିଆ ଓ ତଦୂର୍ଦ୍ଧ୍ବ ଚକା ବିଶିଷ୍ଟ ଯାନ। ଅଗଷ୍ଟ ୩ ତାରିଖ ସୁଦ୍ଧା ଦେଶରେ ଏତିକି ସଂଖ୍ୟକ ଗାଡ଼ି ପଞ୍ଜୀକରଣ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବାହନ ପୋର୍ଟାଲର ତଥ୍ୟ ଆଧାରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ୨,୯୫,୨୪୫ଟି ଦୁଇ ଚକିଆ ଯାନ ଏବଂ ୧୮,୪୭,୫୩୯ଟି ଚାରି ଚକିଆ ଓ ତଦୂର୍ଦ୍ଧ୍ବ ଚକିଆ ଯାନ ସିଏନଜି, ଇଥାନଲ, ହାଇଡ୍ରୋଜେନ ଫୁଏଲ ସେଲ, ଏଲଏନଜି, ସୋଲାର ଓ ମିଥାନଲ ଆଦି ଇନ୍ଧନରେ ଚାଲୁଛି।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ତାଙ୍କ ମନ୍ତ୍ରାଳୟ ମୁଖ୍ୟତଃ ଜାତୀୟ ରାଜପଥର ବିକାଶ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଦାୟୀ ରହିଥାଏ। ବର୍ଷାଋତୁରେ ବନ୍ୟା, ଭୂସ୍ଖଳନ, ପ୍ରବଳ ବର୍ଷା ଆଦି କାରଣରୁ ଜାତୀୟ ରାଜପଥର କେତେକ ସ୍ଥାନରେ କ୍ଷତି ପହଞ୍ଚିଥାଏ। କିନ୍ତୁ ଏହାର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ କରାଯାଇ ଟ୍ରାଫିକ ଚଳାଚଳକୁ ସ୍ବାଭାବିକ କରାଯାଇଥାଏ। ତାଙ୍କ ମନ୍ତ୍ରାଳୟ ପକ୍ଷରୁ ଏକ୍ସପ୍ରେସୱେର ନିର୍ମାଣ, ଜାତୀୟ ରାଜପଥଗୁଡ଼ିକର ଉନ୍ନତୀକରଣ ଏବଂ ପୋଲ ଓ ରୋଡ୍ ଓଭର ବ୍ରିଜ୍ ଆଦିର ରକ୍ଷଣାବେକ୍ଷଣ ଓ ପୁନଃନିର୍ମାଣ କରାଯାଇଥାଏ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/traffic-f.jpg)