ୱାସିଂଟନ : ଦକ୍ଷିଣ-କେନ୍ଦ୍ରୀୟ ଓ ପୂର୍ବ ଆମେରିକାରେ ଭୟଙ୍କର ଝଡ଼ତୋଫାନ ୨୧ ଜଣଙ୍କ ପ୍ରାଣ ନେଇ ସାରିଲାଣି। ଅବିଶ୍ରାନ୍ତ ବର୍ଷା ଓ ଭୀଷଣ ପବନ ଯୋଗୁଁ ଦକ୍ଷିଣ ଓ ମଧ୍ୟ-ପଶ୍ଚିମ ଆମେରିକାରେ ଛୋଟବଡ଼ ସହର ବିଧ୍ବସ୍ତ ହୋଇଯାଇଛି। ଶୁକ୍ରବାର ଇଲିନୟରେ ୪ ଜଣ ଲୋକଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଏହି ବାତ୍ୟାରେ ୫୦ ନିୟୁତ ଲୋକ ପ୍ରଭାବିତ ହୋଇଥିବା ଓ କୋଟି କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଥିବା ଶନିବାରର ରିପୋର୍ଟରୁ ଜଣାପଡ଼ିଛି।
ଗଛଗୁଡ଼ିକ ମୂଳରୁ ଉପୁଡ଼ି ରାସ୍ତାରେ ଶୋଇଥିବା ବେଳେ କୋଠାଘରଗୁଡ଼ିକର କାଚ ଝରକାଗୁଡ଼ିକ ଭାଙ୍ଗି ଛିନ୍ନଛତ୍ର ହୋଇଯାଇଛି। ଗାଡ଼ିଗୁଡ଼ିକ ଖେଳନା ପରି ଓଲଟି ରାସ୍ତାରେ ଗଡ଼ୁଥିବା ଦେଖିବାକୁ ମିଳିଛି। କେଉଁଠି ସ୍କୁଲ ଛାତ ଭୁଶୁଡ଼ିଛି ତ କେଉଁଠି ଝରକା-କବାଟ ଉଡ଼ିଯାଇଛି। ଆମେରିକାର ୮ଟି ରାଜ୍ୟ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି।