ନୂଆଦିଲ୍ଲୀ: ଇଭିଏମ୍ରେ ଗୁରୁତର ତ୍ରୁଟି ରହିଥିବା ଦର୍ଶାଇ ପୁଣି ଥରେ ୨୧ଟି ବିରୋଧୀ ଦଳ ୫୦ ପ୍ରତିଶତ ଇଭିଏମ୍ ଭୋଟ୍ ସହିତ ଭିଭିପିଏଟି ସ୍ଲିପ୍ର ଗଣତି କରାଇବା ପାଇଁ ଦାବି କରି ଆଜି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଏ ବାବଦରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପୁନର୍ବିଚାର ଆବେଦନ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍ରେ ନାନା ବୈଷୟିକ ତ୍ରୁଟି ଏବଂ ଅନିୟମିତତା ଦେଖିବାକୁ ମିଳିଥିଲା। ତେଣୁ ୫୦ ପ୍ରତିଶତ ଇଭିଏମ୍ ଏବଂ ୫୦ ପ୍ରତିଶତ ଭିଭିପିଏଟି ଭୋଟ୍ ଗଣତି ହେଲେ ହିଁ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନ୍ୟାୟ ମିଳିବ ବୋଲି କୁହାଯାଇଛି। ଏହା ପୂର୍ବରୁ ୮ ଏପ୍ରିଲ୍ରେ ସୁପ୍ରିମ୍ କୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଅତି କମ୍ରେ ୫ଟି ବୁଥ୍ରେ ଇଭିଏମ୍-ଭିଭିପିଏଟି ଭୋଟ୍ ମ୍ୟାଚ୍ କରାଯିବ। ବିରୋଧୀ ଦଳଗୁଡ଼ିକ ସୁପ୍ରିମ୍ କୋର୍ଟଙ୍କ ଏହି ରାୟକୁ ବିରୋଧ କରି ଆଜି ପୁନର୍ବିଚାର ପାଇଁ ଆବେଦନପତ୍ର ଦାଖଲ କରିଥିବାରୁ ଏ କ୍ଷେତ୍ରରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଯଦି ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି ପାଇଁ କୋର୍ଟ ରାୟ ଆସିବ ତା’ହେଲେ ନିର୍ବାଚନ କମିସନଙ୍କୁ ଦେଶବ୍ୟାପୀ ଗଣତି ପାଇଁ ନୂଆ ରଣନୀତି ଅବଲମ୍ବନ କରିବାକୁ ହେବ।
ସୁପ୍ରିମ୍ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୁ ଇଭିଏମ୍ ଭୋଟ୍ ଏବଂ ଭିଭିପିଟିଏ ସ୍ଲିପ୍ ମେଳ କରାଇବା ପାଇଁ କମିସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି ଦାବି ପୁଣି ଜୋର୍ ଧରିଥିବାରୁ ଏହାକୁ ନେଇ ଜଟିଳ ସ୍ଥିତି ଉପୁଜିବା ଆଶଙ୍କା ରହିଛି। ଯଦି ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍ ଗଣତି ହେବ ତା’ହେଲେ ନିର୍ବାଚନ ଫଳାଫଳ ୫/୬ ଦିନ ବିଳମ୍ବରେ ଆସିବ ବୋଲି ଜଣାପଡ଼ିଛି। ଏଥର ଲୋକସଭା ନିର୍ବାଚନରେ ୨୦ ଲକ୍ଷ ୩୫ ହଜାର ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ପ୍ରତି ବିଧାନସଭା କ୍ଷେତ୍ରରେ ପ୍ରାୟ ୨୫ଟି ପୋଲିଂ ଷ୍ଟେସନ ରହିିଛି । ଆନ୍ଧ୍ର ପ୍ରଦେଶରେ ପ୍ରାୟ ୩୦ ପ୍ରତିଶତ ଇଭିଏମ୍ ଅଚଳ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦାବିକୁ ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି।
୨୧ ବିରୋଧୀ ଦଳ ପୁଣି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ
୫୦% ଭିଭିପିଏଟି ଭୋଟ୍ ଗଣତି ଦାବି
/sambad/media/post_attachments/wp-content/uploads/2019/04/evm-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)