ନୂଆଦିଲ୍ଲୀ: ବ୍ରିଟେନ୍ରେ ନୂଆ ପ୍ରଜାତିର କରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ଏ ଦିଗରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି। ଲଣ୍ଡନ୍ରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ବାଧ୍ୟତାମୂଳକ ଆର୍ଟିପିସିଆର ଟେଷ୍ଟ୍ କରାଯାଉଛି। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ୫ ଜଣ ଯାତ୍ରୀଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ, ଅମୃତସରରେ ୮ ଜଣ, ଅହମଦାବାଦରେ ୫ ଜଣ, କୋଲାକାତାରେ ୨ ଜଣ ଏବଂ ଚେନ୍ନାଇରେ ଜଣଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଗତରାତି ୧୦.୪୦ରେ ଦିଲ୍ଳୀ ବିମାନବନ୍ଦରରେ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନରେ ୨୬୬ ଜଣ ଯାତ୍ରୀଥିଲେ। ସେମାନଙ୍କର କୋଭିଡ୍ ଟେଷ୍ଟ୍ କରାଯିବାପରେ ୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେହିପରି କୋଲକାତରେ ମଧ୍ୟ ୨ ଜଣ ବ୍ୟକ୍ତି ବ୍ରିଟେନ୍ରୁ ଫେରିବାପରେ କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ ଗତ ରବିବାର ଦିନ କୋଲକାତାର ଏନ୍ଏସସିବିଆଇ ବିମାନବନ୍ଦରରେ ପହଞ୍ଚିଥିଲେ। ସେମାନଙ୍କୁ ୨ଟି ପୃଥକ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରରେ ଏହି ନୂଆ ପ୍ରଜାତିର ଭୂତାଣୁ ଅଛି କି ନା’ ତାହା ଜାଣିବାପାଇଁ ବିଶେଷଜ୍ଞମାନେ ଅନୁଧ୍ୟାନ ଜାରି ରଖିଛନ୍ତି।
ଅନ୍ୟପକ୍ଷେ ତାମିଲନାଡ଼ୁ ସ୍ବାସ୍ଥ୍ୟ ସଚିବ ଜେ ରାଧାକ୍ରୀଷ୍ଣନ୍ କହିଛନ୍ତି, ଗତକାଲି ବ୍ରିଟେନ୍ରୁ ଫେରିଥିବା ଜଣେ ଯାତ୍ରୀ ତାମିଲନାଡ଼ୁରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତେବେ ସେ ଏହି ନୂଆ କରୋନାଭୂତାଣୁରେ ପୀଡ଼ିତ କି ନା’ ତାହା ଜଣାପଡ଼ିନି। ବ୍ରିଟେନ୍କୁ ବିମାନ ବାତିଲ ଘୋଷଣା ହେବାପରେ ଭାରତରେ ଅନ୍ୟ ୨ଟି ବିମାନ ଆସି ଗତକାଲି ବିଳମ୍ବିତ ରାତିରେ ପହଞ୍ଚିଥିଲା। ଗୋଟିଏ ମୁମ୍ବାଇରେ ଅବତରଣ କରିଥିବାବେଳେ ଅନ୍ୟଟି ପଂଜାବର ଅମୃତସରରେ ଅବତରଣ କରିଥିଲା। ଅମୃତସରରେ ପହଞ୍ଚିଥିବା ୨୪୦ ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ବ୍ରିଟେନ୍ ଫେରନ୍ତା କରୋନା ଆକ୍ରାନ୍ତଙ୍କଠାରେ ନୂଆ ପ୍ରଜାତିର ଭାଇରସ୍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏ ନେଇ ବିଶେଷଜ୍ଞ ଦଳ ଅନୁଧ୍ୟାନ ଜାରି ରଖିଛନ୍ତି।
ରୂପାନ୍ତରିତ କରୋନାଭୂତାଣୁ ପାଇଁ ଛଅ ସପ୍ତାହରେ ଟିକା ମିଳିଯିବ: ବାୟୋଏନ୍ଟେକ୍
ବାୟୋଏନ୍ଟେକ୍ ନୂଆଦିଲ୍ଲୀ: ବ୍ରିଟେନ୍ରେ ଦେଖାଦେଇଥିବା ନୂତନ ଧରଣର ରୂପାନ୍ତରିତ କରୋନାଭୂତାଣୁ ବିରୋଧରେ ଫାଇଜର ଟିକା କାର୍ଯ୍ୟ କରିବ ବୋଲି ଉକ୍ତ ଟିକାର ସହଯୋଗୀ ନିର୍ମାତା ବାୟୋଏନ୍ଟେକ୍ ପକ୍ଷରୁ ଦାବି କରାଯାଇଛି। ତେବେ ଏହି ନିର୍ଦ୍ଦିଷ୍ଟ ବର୍ଗର ଭୂତାଣୁ ବିରୋଧରେ ନୈଦାନିକ ପରୀକ୍ଷଣ ଚଳାଇ ମାତ୍ର ଛଅ ସପ୍ତାହ ଭିତରେ ପ୍ରଯୁଜ୍ୟ ଟିକାଟିଏ ଉପଲବ୍ଧ ହୋଇପାରିବ ବୋଲି କମ୍ପାନିର ସହପ୍ରତିଷ୍ଠାତା ଉଗୁର ସାହିନ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ର ଗୋଟିଏ ମାତ୍ର ରୂପାନ୍ତର ଦେଖାଦେଇଥିବା ବେଳେ ବ୍ରିଟେନ୍ରେ ଠାବ କରାଯାଇଥିବା ଏହି କରୋନାଭୂତାଣୁର ନଅଟି ରୂପାନ୍ତରିତ ପ୍ରଜାତି ଦେଖିବାକୁ ମିଳିଛି। ଫାଇଜର କମ୍ପାନି ସହ ମିଶି ବାୟୋଏନ୍ଟେକ୍ ବିକଶିତ କରିଥିବା ଟିକାଗୁଡ଼ିକ ଭଲ କାମ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ସେମାନଙ୍କ ଟିକାରେ ଏକ ହଜାର ପ୍ରକାରର ଭୂତାଣୁ ଅନୁରୂପ ଆମିନୋ ଏସିଡ୍ ରହିଛି। ସେଥିରୁ ମାତ୍ର ୯ଟିର ପରିବର୍ତ୍ତନ ଘଟିଛି। ଅର୍ଥାତ୍ ଆହୁରି ୯୯୧ଟି ବା ୯୯ ପ୍ରତିଶତ ସେହିଭଳି ଅକ୍ଷୁଣ୍ଣ ରହିଛି। ସୁତରାଂ ଏହି ରୂପାନ୍ତରିତ ଭୂତାଣୁ ଉପଲବ୍ଧ ଫାଇଜର ଟିକାରେ ମଧ୍ୟ କାବୁ ହୋଇଯିବ। ନୂଆ କରୋନାଭୂତାଣୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି ଏବଂ ଦୁଇ ସପ୍ତାହ ଭିତରେ ଫଳାଫଳ ଆସିଯିବ ବୋଲି ସାହିନ୍ କହିଛନ୍ତି।