ଇନ୍ଧନ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଏବଂ ୨୧ଟି ରାଜନୈତିକ ଦଳର ଭାରତ ବନ୍ଦ ପାଳନ ଓ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ଦ୍ରୁତ ବୃଦ୍ଧି ଯୋଗୁଁ ସୋମବାର ସକାଳୁ କଂଗ୍ରେସ ଏବଂ ୨୧ଟି ରାଜନୈତିକ ଦଳ ‘ଭାରତ ବନ୍ଦ’ ପାଳନ କରୁଛନ୍ତି। ଜନସାଧାରଣଙ୍କ ଅସୁବିଧା ନ ହେବା ପାଇଁ ଅତ୍ୟାବଶ୍ୟକ ଏବଂ ଜରୁରୀ ସେବା ବ୍ୟାହତ ହେବ ନାହିଁ ବୋଲି ରାଜନୈତିକ ଦଳ ସବୁ ପ୍ରତିଶ୍ରୁତି ଦେଇଥିଲେ ବି ଦେଶର ଅନେକ ଅଞ୍ଚଳରେ ଲୋକମାନଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ବନ୍ଦ ଯୋଗୁଁ କର୍ଣ୍ଣାଟକ ଏବଂ ଓଡ଼ିଶାରେ ସରକାର ଶିକ୍ଷାକେନ୍ଦ୍ର ପାଇଁ ଛୁଟି ଘୋଷଣା କରିଛନ୍ତି। ପଶ୍ଚିମ ବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ କହିଛି ଯେ ଧର୍ମଘଟ ନ ହୋଇ ରାଲି କରାଯିବ।

ସମଗ୍ର ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରତିବାଦ ପ୍ରଦର୍ଶନପୂର୍ବକ ବନ୍ଦ ପାଳନ ଚାଲିଥିବା ବେଳେ ବିଭିନ୍ନ ଆଡୁ କିଛି ଘଟଣ ଅଘଟଣ ଖବର ପହଞ୍ଚୁଛି।

ଓଡ଼ିଶାର ସମ୍ବଲପୁରରେ କଂଗ୍ରେସ କର୍ମୀମାନେ ଟ୍ରେନ୍‌ ଅଟକାଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିରୋଧୀଦଳର କର୍ମୀମାନେ ବନ୍ଦ ପାଳନ କରିବା ସହ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ବିଶାଖାପଟନମ୍‌ ଠାରେ ମଧ୍ୟ ସିପିଆଇ(ଏମ୍‌) ମଧ୍ୟ ବନ୍ଦ ପାଳନ କରୁଛି।

ଭାରତ ବନ୍ଦ ଯୋଗୁଁ କର୍ଣ୍ଣାଟକରେ ଉତ୍ତର-ପୂର୍ବାଞ୍ଚଳ କର୍ଣ୍ଣାଟକ ସଡ଼କ ପରିବହନ ନିଗମ ବସ୍‌ ସେବା ବନ୍ଦ ରଖିଛି।

ତେଲେଙ୍ଗାନାର କଂଗ୍ରେସ କର୍ମୀମାନେ ୟାଦାଦ୍ରି ଭୁବନାଗରି ଜିଲ୍ଲାର ଭୋଙ୍ଗିର ଏବଂ ହାଇଦ୍ରାବାଦ ମୁଶୀର୍‌ଦାବାଦ ବସ୍‌ ଡିପୋରେ ବନ୍ଦପାଳନ କରି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ବନ୍ଦ ପାଳନ ଓ ବିକ୍ଷୋଭ ପ୍ରଦର୍ଶନ ବେଳେ ସକାଳୁ କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଉଠାଇ ନେଇଛି ବୋଲି ମୁମ୍ବାଇ କଂଗ୍ରେସ ନେତା ସଂଜୟ ନିରୁପମ୍‌ କହିଛନ୍ତି।

ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାରେ ସିପିଆଇ ଏବଂ ସିପିଆଇ-ଏମ୍‌ କର୍ମୀମାନେ ବି ଇନ୍ଧନ ବୃଦ୍ଧି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ପୁଣେରେ ବନ୍ଦ ପାଳନ ଓ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ଯୋଗୁଁ ସମଗ୍ର ସହରରେ ଅଧିକ ଫୋର୍ସ ମୁତୟନ କରାଯାଇଥିବା କଥା ପୁଣେ ସିଟି ପୁଲିସ କମିସନର୍‌ ଭେଙ୍କଟେଶମ୍‌ କେ କହିଛନ୍ତି। ଆଇନ୍‌ରେ ହସ୍ତକ୍ଷେପ କରୁଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଇନ୍ଧନ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ‘ଭାରତ ବନ୍ଦ’ ପ୍ରତିବାଦ ପ୍ରଦର୍ଶନରେ ଯୋଗ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜଘାଟରେ ପହଞ୍ଚିଛନ୍ତି।

ଗୁଜରାଟର ବାରୁଚ ଠାରେ ପ୍ରତିବାଦକାରୀମାନେ ରାସ୍ତାରେ ଟାୟର୍‌ ଜାଳି ବସ୍‌ ଅଟକାଇଛନ୍ତି।

କେରଳର ଅଧିକାଂଶ ସ୍ଥାନରେ ବନ୍ଦ ସମର୍ଥକମାନେ ଗାଡ଼ିଘୋଡ଼ା ଅଟକାଇ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ବାଧ୍ୟ କରୁଛନ୍ତି। ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ରେଳ ଓ ବିମାନ ସେବାରେ ବନ୍ଦର କୌଣସି ପ୍ରଭାବ ପଡ଼ିନାହିଁ। ତିନୋଟି ପ୍ରମୁଖ ଆଇଟି ପାର୍କ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ବନ୍ଦ ସମର୍ଥକମାନେ ବନ୍ୟା ଦୁର୍ଗତ ଅଞ୍ଚଳକୁ ବାଦ ଦେଇଛନ୍ତି।

ବିହାରର ପାଟନାରେ ଜନ ଅଧିକାର ଲୋକତାନ୍ତ୍ରିକ କର୍ମୀମାନେ ପାଟନାର ରାଜେନ୍ଦ୍ର ନଗର ଟର୍ମିନାଲ୍‌ ରେଳ ଷ୍ଟେସନ୍‌ରେ ରେଳ ଧାରଣା ଅବରୋଧ କରିଛନ୍ତି।

ଆସାମରେ ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ଅବ୍ୟବସ୍ଥିତ ହୋଇପଡ଼ିଛି। ଏକାଧିକ ଜିଲ୍ଲାରେ ରାସ୍ତା ଓ ରାଜପଥ ଅବରୋଧ କରିବାକୁ ଉଦ୍ୟମ କରି ବହୁ ଲୋକ ପୁଲିସ ଦ୍ୱାରା ଅଟକ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ କୌଣସି ହିଂସାକାଣ୍ଡ ଘଟିଥିବା ଖବର ଆସିନାହିଁ।

ଅରୁଣାଚଳ ପ୍ରଦେଶରେ ମଧ୍ୟ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରୁଛନ୍ତି।

ସମ୍ବନ୍ଧିତ ଖବର