ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ଅଭିଯାନ: ୨୧ ଜଣିଆ ଉଦ୍ଧାରକାରୀ ଦଳ ପହଞ୍ଚିଲା

ସିଲଙ୍ଗ୍‌: ମେଘାଳୟର ଏକ କୋଇଲା ଖଣିରେ ପାଣି ଭରିଯିବାରୁ ଦୁଇ ସପ୍ତାହ ଧରି ଫସିରହିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜୋରଦାର ହୋଇଛି। ଆଜି ବାୟୁସେନାର ଏକ ବିମାନ ଓଡ଼ିଶା ଅଗ୍ନିଶମ ସେବାର ୨୧ ଜଣିଆ ଟିମ୍‌କୁ ନେଇ ମେଘାଳୟରେ ପହଞ୍ଚିଛି। ବାୟୁସେନା ବିମାନରେ ୨୦ଟି ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ୍‌ ମଧ୍ୟ ପଠାଯାଇଛି। ଉଦ୍ଧାରକାରୀ ଦଳ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ଅବସ୍ଥିତ ଏହି କୋଇଲା ଖଣିରେ ପହଞ୍ଚିବାକୁ ୨୦୦ କିଲୋମିଟର ରାସ୍ତା ଅତିକ୍ରମ କରିବେ। ୧୩ ଡିସେମ୍ବରରୁ ଲୁନ୍ଥାରି ଗ୍ରାମ ନିକଟରେ ଥିବା ଖଣିରେ ୩୭୦ ଫୁଟ ଗଭୀରରେ ଶ୍ରମିକମାନେ ଫସିରହିଛନ୍ତି। ଏହି ବେଆଇନ କୋଇଲା ଖଣିରେ ପାଣି ଭର୍ତ୍ତି ହୋଇଯିବାରୁ ଶ୍ରମିକଙ୍କୁ ଉଦ୍ଧାର କରିବା ଅତ୍ୟନ୍ତ ଜଟିଳ ହୋଇଯାଇଛି। ସିଭିଲ୍‌ ଡିଫେନ୍ସ ନିର୍ଦ୍ଦେଶକ ବି କେ ଶର୍ମା କହିଛନ୍ତି, ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଉଦ୍ଧାରକାରୀ ଟିମ୍‌ ୨୦ଟି ପମ୍ପ୍‌ ସହ ପହଞ୍ଚିଛନ୍ତି। ସେମାନେ ସ୍ଥାନୀୟ ଅଧିକାରୀଙ୍କ ସହଯୋଗରେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ। ଏଥିରେ ବ୍ୟବହାର ହେବାକୁ ଥିବା ଗୋଟିଏ ଲେଖାଏଁ ପମ୍ପ୍‌ ଦ୍ବାରା ମିନିଟ୍‌ ପିଛା ୧୬୦୦ ଲିଟର ପାଣି ନିଷ୍କାସନ କରାଯିବ। ଏଭଳି ବିପତ୍ତି ସମୟରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଭିଜ୍ଞତା ଓଡ଼ିଶାର ଦମକଳ ବିଭାଗ କର୍ମଚାରୀଙ୍କ ପାଖରେ ରହିଛି ଏବଂ ସେମାନେ ଅନ୍ୟ ହାଇଟେକ୍ ଉପକରଣ ମଧ୍ୟ ବ୍ୟବହାର କରିବେ।

ସମ୍ବନ୍ଧିତ ଖବର