ପୂର୍ବରୁ ୩୮ଥିଲେ ଆଉ ଏବେ ୨୧ଜଣ ଟିଏମସି ବିଧାୟକ ମୋ ସହିତ ‌ଯୋଗା‌ଯୋଗରେ ଅଛନ୍ତି; ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ ବଦଳିବ କି ସରକାର? ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିବା ବିଜେପି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗାଦିଚ୍ୟୁତ କରିବ କି? ପଶ୍ଚିମବଙ୍ଗକୁ ଦଖଲ କରିପାରିନଥିବା ବିଜେପି ରାଜ୍ୟରେ ସରକାର ଗଢ଼ିବ କି? ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଦାବି ପରେ ଏ‌ଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଛି।

ମିଥୁନ ଚକ୍ରବର୍ତ୍ତୀ ଦାବି କରିଛନ୍ତି ଯେ ମମତା ବାନାର୍ଜୀଙ୍କ ଟିଏମସି ଦଳର ୨୧ଜଣ ଟିଏମସି ବିଧାୟକ ମୋ ସହିତ ‌ଯୋଗା‌ଯୋଗରେ ଅଛନ୍ତି। ମୁଁ ଏହା ପୂର୍ବରୁ କହିଥିଲି ଏବଂ ବାରମ୍ବାର କହୁଛି। ମୁଁ ମୋ କଥାରେ ଏବେ ବି ଅଟଳ ଅଛି। ସମୟକୁ ଅପେକ୍ଷା କର।

ଶନିବାର ଦିନ ଦୁର୍ଗା ପୂଜା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ବିଜେପି ନେତାଙ୍କ ସହ ଏକ କୈଠକ କରିଥିଲେ। ବୈଠକ ପରେ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ, ବିଜେପିରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ଟିଏମସି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଛି କି? ଏହାର ଉତ୍ତରରେ ମିଥୁନ ଚକ୍ରବର୍ତ୍ତୀ କହିଥିଲେ, “ମୁଁ ଆପଣଙ୍କୁ ସଠିକ୍ ସଂଖ୍ୟା କହିବି ନାହିଁ। କିନ୍ତୁ ଏହା କହିପାରେ ଯେ, ସଂଖ୍ୟା ୨୧ରୁ କମ୍ ନୁହେଁ”।

ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇ ମାସରେ ୩୮ଜଣ ଟିଏମସି ବିଧାୟକ ତାଙ୍କ ସହ ଥିବା ଦାବି କରିଥିଲେ ମିଥୁନ ଚକ୍ରବର୍ତ୍ତୀ। ଏଭଳି ଘୋଷଣା ପରେ ପଶ୍ଚିମବଙ୍ଗରେ ସରକାର ବଦଳିବ ଚର୍ଚ୍ଚା ଜୋର ଧରିଥିଲା।

ସମ୍ବନ୍ଧିତ ଖବର