୨୧ ବର୍ଷୀୟ ୟୁଟ୍ୟୁବର୍ ୧ ଲକ୍ଷ ୧୦ ହଜାରରୁ ଅଧିକ ଶରଣାର୍ଥୀଙ୍କ ପାଇଁ ସଂଗ୍ରହ କଲେ ୮୨ କୋଟି

ଦୁବାଇ: ଜୋର୍ଡାନ୍, ଲେବାନନ୍, ଇରାକରେ ଭୀଷଣ ଥଣ୍ଡାରେ କଷ୍ଟ ପାଉଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଦୁବାଇର ୟୁଟ୍ୟୁବର୍ ଆବଫ୍ଲା ୧୨ ଦିନ ଏକ କାଚ ବାକ୍ସରେ ଜୀବନ ବିତାଇ, ଏହାକୁ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ କରି ୮୨ କୋଟି ଟଙ୍କା ଚାନ୍ଦା ଜୁଟାଇ ପାରିଛନ୍ତି । ଏହା ସହିତ ଏହି ଅନନ୍ୟ ଲାଇଭ୍ ଷ୍ଚ୍ରିମିଂ କରିବା ଦ୍ଵାରା ସେ ୨ଟି ଗିନିସ୍ ରେକର୍ଡ ବି ସୃଷ୍ଟି କରିପାରିଛନ୍ତି । ଲାଇଭ୍ ଷ୍ଚ୍ରିମିଂ ସମୟରେ ସେ ନିଜ ପ୍ରଶଂସକମାନଙ୍କ ସହ କ୍ରମାଗତ ଭାବେ କଥାବାର୍ତ୍ତା ମଧ୍ୟ କରୁଥିଲେ ।

ଆବଫ୍ଲା ଏହି ଲାଇଭ୍ ଷ୍ଟ୍ରିମିଂରେ ପାଇଥିବା ଅର୍ଥକୁ ୧ ଲକ୍ଷ ୧୦ ହଜାରରୁ ଅଧିକ ଶରଣାର୍ଥୀ ପରିବାରଙ୍କ ସାହାଯ୍ୟରେ ଲଗାଯିବ । ଏହି ଅର୍ଥକୁ ଶରଣାର୍ଥୀଙ୍କ ଭୋଜନ ଓ ଗରମ ପୋଷାର ଭଳି ଜରୁରୀ ଜିନିଷ ଯୋଗାଇବା ପାଇଁ ବ୍ୟବହାର କରାଯିବ । ଏହା ସହିତ ସିରିଆ ଓ ମିଶରର ଦରିଦ୍ର ଲୋକଙ୍କୁ ମଧ୍ୟ ସାହାଯ୍ୟ କରାଯିବ ।
ଆବଫ୍ଲା ଡାଉନଟାଉନ ଦୁବାଇରେ ଜାନୁଆରୀ ୭ ତାରିଖ ଦିନ କାଚ ବାକ୍ସରେ ପ୍ରବେଶ କରିଥିଲେ । ତାଙ୍କର ଲକ୍ଷ୍ୟ ଥିଲା ସେ ଏହି ଅନନ୍ୟ ଲାଇଭ୍ ଷ୍ଟ୍ରିମିଂ ଦ୍ଵାରା ୧ କୋଟି ଡଲାର ସଂଗ୍ରହ କରିବେ । ଲକ୍ଷ୍ୟ ପୂର୍ଣ୍ଣ ହେବା ପରେ ସେ ବୁଧବାର ଦିନ କାଚ ବାକ୍ସରୁ ବାହାରକୁ ବାହାରିଥିଲେ । ଷ୍ଟ୍ରିମିଂ ସମୟରେ ସେ ୨ କୋଟି ୩୭ ଲକ୍ଷରୁ ଅଧିକ ଲୋକଙ୍କ ସହିତ ନିଜ ଅଭିଜ୍ଞତା ବାଣ୍ଟିଥିଲେ । ଏଥିରୁ ପୃଥିବୀସାରାର ୧ ଲକ୍ଷ ୫୪ ହଜାର ୭୮୯ ଜଣ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

ଆବଫ୍ଲାଙ୍କ ପ୍ରକୃତ ନାମ ହାସନ ସୁଲେମାନ । ସେହି କହିଛନ୍ତି ତାଙ୍କୁ ଲାଗୁଥିଲା ଯେ ୧ କୋଟି ଡଲାର ଜୁଟାଇବାକୁ ତାଙ୍କୁ ୩ ସପ୍ତାହ ଲାଗିବ କିନ୍ତୁ ଏହ କାମ ୧୨ ଦିନରେ ହିଁ ହୋଇଗଲା । ଆବଫ୍ଲା କାଚ ବାକ୍ସରେ ରହିବା ସମୟରେ ୨୬୮ ଘଣ୍ଟା ୧୪ ମିନିଟ ୨୦ ସେକଣ୍ଡ ଲାଇଭ୍ ଷ୍ଟ୍ରିମିଂ କରିଥିଲେ ଯାହାକି ନୂତନ ଗିନିସ୍ ରେକର୍ଡ । ସେ ଚୀନର ଚଙ୍ଗାକିଙ୍ଗ୍ ଚଙ୍ଗା ଅଟୋମୋବାଇଲ କମ୍ପାନିର ୨୫୯ ଘଣ୍ଟା ୪୬ ମିନିଟ୍ ୪୫ ସେକେଣ୍ଡର ଲାଇଭ୍ ଷ୍ଟ୍ରିମିଂକୁ ପଛରେ ପକାଇ ଦେଇଛନ୍ତି ।

ଏହା ସହିତ ୟୁଟ୍ୟୁବରେ ଚାନ୍ଦା ଜୁଟାଇବା ପାଇଁ ସେ ସବୁଠାରୁ ଅଧିକ ଦର୍ଶକଙ୍କୁ (୬ ଲକ୍ଷ ୮୯ ହଜାରରୁ ଅଧିକ ଭ୍ୟୁଜ୍) ଏକାଠି କରି ପାରିଥିବାର ଗିନିସ୍ ରେକର୍ଡ ମଧ୍ୟ ସୃଷ୍ଟି କରି ପାରିଛନ୍ତି ।

ସମ୍ବନ୍ଧିତ ଖବର